ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସିଦ୍ଧି ଓ ସାଧନାର କ୍ଷେତ୍ର ନୂଆଗାଁ ବ୍ଳକ ଅନ୍ତର୍ଗତ ମାଳିସାହି ଗତିଶ୍ବରଙ୍କ ପୀଠରେ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ଓ ସଂସ୍କୃତି ପରିଷଦ ଆନୁକୂଲ୍ୟରେ କବି ସମ୍ରାଟ ଭଞ୍ଜ ଜୟନ୍ତୀ -୨୦୨୪ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଉପେନ୍ଦ୍ର ଭଞ୍ଜ ସାହିତ୍ୟ ଓ ସଂସ୍କୃତି ପରିଷଦର ସଭାପତି କୃଷ୍ଣ ଚନ୍ଦ୍ର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଡଃ ବାଉରୀ ବନ୍ଧୁ ସାହୁ, ମୁଖ୍ୟ ବକ୍ତା ଭାବେ ଡଃ କୃଷ୍ଣ କେଶବ ଷଡ଼ଙ୍ଗୀ ଓ ସମ୍ମାନିତ ଅତିଥି ଭାବେ ପ୍ରଫେସର ଡ଼ଃ ପ୍ରେମାନନ୍ଦ ମହାପାତ୍ର ପ୍ରମୁଖ ଯୋଗଦେଇ ଉପେନ୍ଦ୍ର ଭଞ୍ଜଙ୍କ ସିଦ୍ଧି ଓ ସାଧନାର କଥା ଓ ଢେଙ୍କେଣା ରଘୁନାଥଙ୍କ କ୍ଷେତ୍ରର ମହାନତା ଏବଂ ଭଞ୍ଜଙ୍କ କାବ୍ୟ,କବିତାର ଶ୍ରେଷ୍ଠତା ଉପରେ ବିକ୍ଷିପ୍ତ ଭାବରେ ପ୍ରତିବାଦନ କରିଥିଲେ। ଏହି ଅବସରରେ ଗତୀଶ୍ବରଙ୍କ ମନ୍ଦିରର ମୁଖ୍ୟ ପୃଷ୍ଠପୋଷକ ସୀତାନାଥ ମହାପାତ୍ର ଓ ଆଦର୍ଶ ଶିକ୍ଷକ ତ୍ରିନାଥ ମହାପାତ୍ରଙ୍କୁ ଅତିଥିମାନଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲାବେଳେ କଣ୍ଠଶିଳ୍ପୀଙ୍କ ଦ୍ବାରା ଭଞ୍ଜ ସଙ୍ଗୀତ ପରିବେଷଣ କରାଯାଇଥିଲା। ପୂର୍ବାହ୍ନରେ ଢେଙ୍କେଣା ରଘୁନାଥଙ୍କ ପୀଠରୁ ଏକ ଆଜ୍ଞାମାଳ ଭଞ୍ଜ ପ୍ରେମୀଙ୍କ ଗହଣରେ ଅଣାଯାଇ ମାଳିସାହି ଭଞ୍ଜ ପୀଠରେ ବିଜେ ଉପେନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା। ଏହି ଉତ୍ସବକୁ ସମାଜସେବୀ ବିଶ୍ବନାଥ ମହାପାତ୍ର ପରିଚାଳନା କରିଥିଲାବେଳେ ନୟାଗଡ଼ ଜିଲ୍ଲା ଲେଖକ ପରିଷଦର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର ସ୍ବାଗତ ଭାଷଣ, ସୁରେନ୍ଦ୍ର ନାଥ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲାବେଳେ ବସିରୁନ୍ ବିବି, ନୀରଞ୍ଜନ ସାହୁ,ବାଙ୍କନିଧି ପଟ୍ଟନାୟକ, ଭାଗିରଥି ମହାରଣା ଓ ପ୍ରେମାନନ୍ଦ ପାଟ୍ଟଶାଣୀ ପ୍ରମୁଖ ସହଯୋଗ କରିଥିଲେ।