କନ୍ଧମାଳ, (ବାଘୁଆବାର୍ତ୍ତା): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକର ପ୍ରାଣକେନ୍ଦ୍ର କୁହାଯାଉଥିବା ମୁଖ୍ୟ ବଜାର ତଥା ପୁରୁଣା ବସଷ୍ଟାଣ୍ଡ ଅଞ୍ଚଳରେ ପାନୀୟ ଜଳର ସଙ୍କଟ ତୀବ୍ର ହେବାରେ ଲାଗିଛି। ସାଧାରଣ ଲୋକଙ୍କୁ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ଯୋଗାଇଦେବା ଲକ୍ଷ୍ୟରେ ଲକ୍ଷାଧିକ ଟଙ୍କା ବ୍ୟୟରେ ସ୍ଥାପିତ ହୋଇଥିବା ପାଣି ଫିଲ୍ଟର ଓ କୁଲର ବ୍ୟବସ୍ଥା ଦୀର୍ଘ ଏକ ବର୍ଷ ହେବ ଅକାମି ହୋଇ ପଡ଼ିରହିଛି। ଫଳରେ ଏହି ପ୍ରଚଣ୍ଡ ରୌଦ୍ରତାପରେ ବାହାରୁ ଆସୁଥିବା ବାଟୋଇ ଓ ସ୍ଥାନୀୟ ବ୍ୟବସାୟୀମାନେ ଜଳକଷ୍ଟ ଭୋଗୁଛନ୍ତି। ସୂଚନାନୁସାରେ, ଟିକାବାଲି ବ୍ଲକର ପୁରୁଣା ବସଷ୍ଟାଣ୍ଡ ନିକଟରେ ସଦା ସର୍ବଦା ଜନ ଗହଳି ଲାଗି ରହୁଛି। ଏହାକୁ ଦୃଷ୍ଟିରେ ସେଠାରେ ବାଟୋଇ ଓ ସ୍ଥାନୀୟ ଜନସାଧାରଣଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା କରାଯାଇଥିଲା। ତେବେ ଉକ୍ତ ପାନୀୟ ଜଳ ପ୍ରକଳ୍ପ ଟି ଅଚଳ ହୋଇପଡ଼ିଛି। ସେହି ସ୍ଥାନ ଟି ବର୍ତ୍ତମାନ ବିଭିନ୍ନ ପ୍ରକାରର ବିଜ୍ଞାପନ ପୋଷ୍ଟର ମୁଖ୍ୟ ସ୍ଥାନ ପାଲଟିଛି। ବର୍ଷେ ତଳେ ଏହାକୁ ମରାମତି କରାଯାଇଥିବା ନେଇ ସ୍ଥାନୀୟ ସରପଞ୍ଚ କୁନ୍ଦରୁ ମଳିକ ସଫେଇ ଦେଇଛନ୍ତି। ସେପଟେ କିନ୍ତୁ ଉକ୍ତ ପାନୀୟ ଜଳ ପ୍ରକଳ୍ପର ରକ୍ଷଣା ବେକ୍ଷଣା ଅଭାବରୁ ସ୍ଥାନିୟ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ବଜାର ଓ ରାସ୍ତାଘାଟରେ ଯାତାୟାତ କରୁଥିବା ଲୋକେ ଟୋପେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ବସଷ୍ଟାଣ୍ଡକୁ ଆସୁଥିବା ଯାତ୍ରୀମାନେ ବାଧ୍ୟ ହୋଇ ଚଢ଼ା ଦରରେ ପାଣି ବୋତଲ କିଣିବାକୁ ବାଧ୍ୟ ହେଉଛନ୍ତି। ସରକାରୀ ଅର୍ଥରେ ନିର୍ମିତ ଏହି ବ୍ୟବସ୍ଥା ଥାଇ ମଧ୍ୟ କାର୍ଯ୍ୟକ୍ଷମ ନହେବା ସ୍ଥାନୀୟ ପ୍ରଶାସନର ଅପାରଗତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ପାନୀୟ ଜଳ ପ୍ରକଳ୍ପକୁ ତୁରନ୍ତ ମରାମତି କରି କାର୍ଯ୍ୟକ୍ଷମ କରିବା ପାଇଁ ଅଞ୍ଚଳବାସୀ ଓ ପଥିକମାନେ ଜୋରଦାର ଦାବି କରିଛନ୍ତି। ଯଦି ଶୀଘ୍ର ଏହି ସମସ୍ୟାର ସମାଧାନ କରାନଯାଏ, ତେବେ ଆଗାମୀ ଦିନରେ ଖରା ବଢ଼ିଲେ ପରିସ୍ଥିତି ଆହୁରି ଜଟିଳ ହେବାର ସମ୍ଭାବନା ରହିଛି। ତେବେ ଏଥିପ୍ରତି କନ୍ଧମାଳ ଜିଲ୍ଲପାଳ ଓ ଉପ ଜିଲ୍ଲପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ବାଘୁଆବାର୍ତ୍ତା ପକ୍ଷରୁ ନିବେଦନ କରାଯାଇଛି। ଏବଂ ସ୍ଥାନୀୟ ସରପଞ୍ଚ ଓ ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣରେ ନିବେଦନ କରିଛନ୍ତି।






