ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜଧାନୀର ମୈତ୍ରୀବିହାର ଅଂଚଳରେ ଏକ ଆପାର୍ଟମେଣ୍ଟରେ ଝିଅ ସାମ୍ନାରେ ମାକୁ ଗଣଦୁଷ୍କର୍ମ ମାମଲାକୁ ନେଇ ବଡ ସୂଚନା ଦେଇଛନ୍ତି କମିଶନର | ସେ କହିଛନ୍ତି ଯେ ୨୯ ରାତିରେ ମୈତ୍ରୀବିହାର ଅଞ୍ଚଳରେ ରାତି ପ୍ରାୟ ୨ଟାରେ ଦୁଇ ଦୁର୍ବୁର୍ତ୍ତ ପଶି ଗୋଟିଏ ମୋବାଇଲ ଓ ସୁନା ଚେନ ନେଇଯିବା ସହ ଦୁଷ୍କର୍ମ କରିଥିଲେ । ଛୁରୀ ଦେଖାଇ ଦୁଷ୍କର୍ମ କରିଥିଲେ । ସିକ୍ୟୁରିଟି ଥିବା ସତ୍ତ୍ୱେ ମଧ୍ୟ କେହି ଦୁର୍ବୁର୍ତ୍ତମାନଙ୍କୁ ଦେଖିନଥିଲେ । ଅଭିଯୁକ୍ତଙ୍କୁ ଧରିବା ବେଶ ଚ୍ୟାଲେଞ୍ଜି ଥିଲା । ପୀଡିତା ମଧ୍ୟ ତଦନ୍ତରେ ସହଯୋଗ କରିଥିଲେ । କମିଶନରଙ୍କ ସହ ମଧ୍ୟ କଥା ହୋଇଥିଲେ ପୀଡିତା । ୩ ଜଣ ଅଭିଯୁକ୍ତ ଥିଲେ। ୩ ଜଣଙ୍କୁ ଗିରଫ କରାଯାଇଛି । ଦୁଇ ଜଣ ଘର ଭିତରକୁ ପଶିଥିଲେ । ଜଣେ ଘର ବାହାରେ ଜଗିଥିଲେ । ଦୁଇ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ଅପରାଧିକ ମାମଲା ରହିଛି। ଦଫା ୧୧୦ ରେ ପୂର୍ବରୁ ଅଭିଯୁକ୍ତଙ୍କୁ ବୁକ କରାଯାଇଛି । ଆଜି ୩ ଜଣଙ୍କୁ କୋର୍ଟଚାଲାଣ କରାଯାଇଛି । ସେପଟେ ଅନ୍ୟ ଆପାର୍ଟମେଣ୍ଟ ବା କଲୋନୀରେ ରହୁଥିବା ଲୋକଙ୍କୁ ମଧ୍ୟ ଦେଲେ ବାର୍ତ୍ତା। ଏକୁଟିଆ ରହୁଥିବା ମହିଳା ପଡ଼ୋଶୀଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ କହିଲେ। ଏ ନେଇ ଆଗକୁ ମଧ୍ୟ ଆପାର୍ଟମେଣ୍ଟ ଓ କଲୋନୀ ବାସିନ୍ଦାଙ୍କ ସହ କଥା ହେବେ କମିଶନର । ଟୁଇନ ସିଟି ବାସିନ୍ଦାଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯିବ ବୋଲି କମିଶନର ସୁରେଶ ଦେବଦତ୍ତ ସିଂ କହିଛନ୍ତି | ଉଲ୍ଲେଖ ଥାଉ କି ରବିବାର ରାତି ପ୍ରାୟ ୨ଟା ବେଳେ ମୈତ୍ରୀବିହାର ଅଞ୍ଚଳସ୍ଥ ଏକ ଆପାର୍ଟମେଣ୍ଟରେ ଏହି ଭୟଙ୍କର ଘଟଣା ଘଟିଥିଲା । ଶିଶୁକନ୍ୟାକୁ ଭୁଜାଲିରେ ହାଣିଦେବାର ଭୟ ଦେଖାଇ ଦୁର୍ବୃତ୍ତମାନେ ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କଠାରୁ ଗହଣା ଲୁଟି ଫେରାର୍ ହୋଇଯାଇଥିଲେ । ପୀଡ଼ିତା ଏକ ଘରୋଇ ସଂସ୍ଥାରେ କାମ କରନ୍ତି। ତାଙ୍କ ସ୍ବାମୀ ବାହାରେ ରହନ୍ତି। ରବିବାର ରାତି ପ୍ରାୟ ୨ଟା ବେଳେ ପୀଡ଼ିତାଙ୍କ ଫ୍ଲାଟ୍ ଭିତରକୁ ପଶିଯାଇଥିଲେ ୨ ଲୁଟେରା। ଅସାବଧାନତାବଶତଃ ପୀଡ଼ିତା ବାଲ୍କୋନି କବାଟ ବନ୍ଦ କରିବାକୁ ଭୁଲିଯାଇଥିଲେ। ଏହାର ସୁଯୋଗ ନେଇ ଲୁଟେରାଦ୍ବୟ ବାଲ୍କୋନି ଦେଇ ଆପାର୍ଟମେଣ୍ଟର ପ୍ରଥମ ମହଲାରେ ଥିବା ମହିଳାଙ୍କ ଫ୍ଲାଟ୍ରେ ପଶିଥିଲେ। ଠିକ୍ ସେତିକିବେଳେ ପୀଡ଼ିତା ବାଥ୍ରୁମ୍କୁ ଯାଇଥିଲେ ଏବଂ ତାଙ୍କ ୨ବର୍ଷ ବୟସର ଶିଶୁକନ୍ୟା ଖଟରେ ଶୋଇଥିଲା। ମହିଳାଜଣକ ବାଥ୍ରୁମ୍ରେ ଥିବା ଜାଣିପାରି ଦୁର୍ବୃତ୍ତଦ୍ବୟ ଛକି ରହିଥିଲେ। ବାଥ୍ରୁମ୍ରୁ ସେ ବାହାରୁ ବାହାରୁ ଦୁର୍ବୃତ୍ତଦ୍ବୟ ତାଙ୍କ ବେକରେ ଭୁଜାଲି ଲଗାଇ ଚୁପ୍ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଏତିକିବେଳେ ଶିଶୁକନ୍ୟାଟି ନିଦରୁ ଉଠି କାନ୍ଦିବାକୁ ଲାଗିଥିଲା। ଜଣେ ଦୁର୍ବୃତ୍ତ ଶିଶୁକନ୍ୟାକୁ ଉଠାଇ ତା’ ବେକରେ ଭୁଜାଲି ଲଗାଇଦେଲା। ତଥାପି ଶିଶୁକନ୍ୟାଟିର କାନ୍ଦ ବନ୍ଦ ନ ହେବାରୁ ଦୁର୍ବୃତ୍ତଜଣକ ଖଟରେ ଥିବା ମହିଳାଙ୍କ ମୋବାଇଲ୍ ଖୋଲି ଶିଶୁକନ୍ୟାର ହାତରେ ଧରାଇଦେଲା। ଏହାପରେ ସେମାନେ ମହିଳାଙ୍କୁ ଧମକ ଦେଲେ। ପାଟି କରିବାକୁ ଉଦ୍ୟମ କଲେ, ଶିଶୁକନ୍ୟାକୁ ହାଣିଦେବେ ବୋଲି କହିଲେ। ତଥାପି ଭୟରେ ମହିଳା ସେମାନଙ୍କୁ ‘ଯାହା ଅଛି ସବୁ ନେଇଯାଅ ଏବଂ ଆମ ମା’ ଝିଅଙ୍କୁ ଛାଡ଼ିଦିଅ’ ବୋଲି କାକୁତିମିନତି ହେଲେ। କିନ୍ତୁ ଲୁଟେରାଦ୍ବୟ ତାଙ୍କ କଥାକୁ କର୍ଣ୍ଣପାତ ନକରି ତାଙ୍କୁ ଦୁଷ୍କର୍ମ କଲେ। ଏହାପରେ ସେମାନେ ମହିଳାଙ୍କ କାନଫୁଲ ଖୋଲି ନେଇଗଲେ। କିନ୍ତୁ ଘର ଭିତରୁ ଆଉ କିଛି ଗହଣା ବା ଟଙ୍କାପଇସା ପାଇନଥିଲେ। ଶେଷରେ ସେମାନେ ମହିଳାଙ୍କ ମୋବାଇଲ୍ ନେଇ ଘର ବାହାରୁ କବାଟ ବନ୍ଦ କରି ପଳାଇଥିଲେ। ଯେଉଁ ବାଲ୍କୋନି ଦେଇ ପଶିଥିଲେ, ସେହିବାଟ ଦେଇ ଫେରାର୍ ହୋଇଯାଇଥିଲେ।