ବାରିପଦା, (ବାଘୁଆବାର୍ତ୍ତା): ପୋଖରୀ ଭିତରୁ ହାତୀ ଛୁଆର ମୃତ ଦେହ ଉଦ୍ଧାର। ତିନି-ଚାରି ଦିନ ପୂର୍ବରୁ ହାତୀ ଛୁଆଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଶିମିଳିପାଳ ଅଭୟାରଣ୍ୟର ପାଦଦେଶର ନାଫ୍ରି ପଞ୍ଚାୟତ ଝିଙ୍କପାହାଡି ଗ୍ରାମ ନିକଟ ଏକ ପୋଖରୀରୁ ମୃତଦେହଟି ମିଳିଛି। କିଛି ଦିନ ହେବ ୩୦ ଟିକିଆ ହାତୀପଲ ସେହି ଅଞ୍ଚଳରେ ବୁଲାବୁଲି କରୁଥିବାର ଦେଖିବାକୁ ମିଳିଥିଲା। ତେବେ ଆଜି ଗ୍ରାମବାସୀ ମାନେ ପୋଖରୀକୁ ଯାଇଥିବା ବେଳେ ଭାସମାନ ଅବସ୍ଥାରେ ହାତୀ ଛୁଆର ମୃତ ଦେହ ଦେଖିବାକୁ ପାଇଥିଲେ। ତେବେ ଏନେଇ ଗ୍ରାମବାସୀ ବନବିଭାଗକୁ ଜଣାଇଥିଲେ। ବାଙ୍ଗିରିପୋଷି ରେଞ୍ଜ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ହାତୀ ଛୁଆର ବୟସ ୨ – ୩ ମାସ ହେବ ବୋଲି ଜଣାପଡିଛି। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ଅନ୍ୟପଟେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ଉପସ୍ଥିତିରେ ବାରିପଦାରେ ଜିଲ୍ଲାସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳିତ ହେଉଥିବା ବେଳେ ବନ୍ୟଜନ୍ତୁର ସୁରକ୍ଷାରେ ବିଭାଗର ବିଫଳତା ସମସ୍ତ କାର୍ଯ୍ୟକ୍ରମକୁ ପଦାରେ ପକାଇଛି ।