ଜିଲ୍ଲା ସ୍ତରୀୟ ସ୍ୱଚ୍ଛ ଭାରତ ଦିବସ ପାଳିତ
ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ମହାତ୍ମା ଗାନ୍ଧୀ, ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଓ ଜିଲ୍ଲା ସ୍ତରୀୟ ସ୍ୱଚ୍ଛ ଭାରତ ଦିବସ ପାଳିତ ହୋଇଯାଇଛି । ସେପ୍ଟେମ୍ବର ୧୭ ତାରିଖରୁ ସ୍ୱଚ୍ଛତାହିଁ ସେବା କାର୍ଯ୍ୟକ୍ରମ ଆରମ୍ଭ ହୋଇ ଆଜି ଶେଷ ହୋଇଛି । ନୟାଗଡ଼ ଜିଲ୍ଲା ପ୍ରଶାସନ ଓ ନୟାଗଡ଼ ପୌର ପରିଷଦ ମିଳିତ ଆନୁକୁଲ୍ୟରେ ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିଲେ ।
ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ନୟାଗଡ଼ ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ, ରୋଜିନା ଦାସ, ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହି ଅଧିକାରୀ ଦେବଦତ୍ତ ପଣ୍ଡା, ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ନୟାଗଡ଼ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟ ଓ ସୁଚନା ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଡ. ସାହୁ ମହା ମୁନିସ ମାନଙ୍କ ପୁସ୍ତକ ପଢ଼ିବା ପାଇଁ ପରାମର୍ଶ ଦେଇଥିଲେ । ସଦାସର୍ବଦା ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ସମସ୍ତେ ସଚେତନତା ହେବା ନିହାତି ଆବଶ୍ୟକ । ପ୍ରତ୍ୟେକ ବ୍ୟକ୍ତି ଗାନ୍ଧି ଆଦର୍ଶରେ ଅନୁପ୍ରାଣିତ ହେବା ଆବଶ୍ୟକ । ଗାନ୍ଧିଙ୍କ ଜୀବନ ଦର୍ଶନ ନପଢ଼ିଲେ ଗାନ୍ଧିଙ୍କୁ ବୁଝିବା କଷ୍ଟ ଦାୟ ବୋଲି ସେ ପ୍ରକାଶ କରିଥିଲେ ।
ଏହି ଅବସରରେ ଜିଲ୍ଲାପାଳ ସଦାସର୍ବଦା ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦେଇଥିଲେ । କେବଳ ଦିବସ ପାଳିଲେ ହେବ ନାହିଁ । ସ୍ୱଚ୍ଛତାକୁ ଗୁରୁମନ୍ତ୍ର ଭାବେ ନେବା ଉଚିତ ବୋଲି ପ୍ରକାଶ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ୧୦ ଜଣ ସଫେଇ କର୍ମଚାରୀଙ୍କୁ ସ୍ୱଚ୍ଛତା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ନୟାଗଡ଼ ପୌରାଞ୍ଚଳର ସଫେଇ କର୍ମଚାରୀ ସୂର୍ଯ୍ୟକାନ୍ତ ଘଡେଇ, ଲୋଚନ ଦଳେଇ, ଟିକି ଦଳେଇ, ରାଜେଶ ଗୋଛାୟତ, ଶ୍ରୀକାନ୍ତ ଦଳେଇ, କାହ୍ନା ଦଳେଇ, ସୁନୀଲ ନାୟକ, ବିଜୟ ଦଳେଇ, ସନାତନା ନଇ ଓ କାର୍ତିକ ଦଳେଇଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ନୟାଗଡ଼ ରୋଟାରୀ କ୍ଲବର ସଭାପତି ଶ୍ରୀକାନ୍ତ ଖଟେଇ ସେମାନଙ୍କୁ ୨୦୦୦ ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ଜିଲ୍ଲା ସ୍ତରରେ ସ୍ଲୋଗାନ, ଏସେ, ପୋଏମ ଓ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଆଜି କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ସ୍ଲୋଗାନ ପାଇଁ ଯୁନିୟର ସ୍ତରରେ ଓଡିଶା ଆଦର୍ଶ ବିଦ୍ୟାଳୟ ଖଣ୍ଡପଡାର ଛାତ୍ରୀ ବନଶିକା ସାଇକୃପା ପ୍ରଥମ ସ୍ଥାନ ଅଧିକାର କରିଥିଲେ ।
ସେହିପରି ସିନିୟର ଗୃପରେ ଖଣ୍ଡୁଗାଁ ସରକାରୀ ହାଇସ୍କୁଲର ଛାତ୍ରୀ ଇସା ପଣ୍ଡା ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ହାୟର ଏଜୁକେସନ ସ୍ତରରେ ଖଣ୍ଡପଡା ମହିଳା କଲେଜର ଛାତ୍ରୀ ବିଷ୍ଣୁପ୍ରିୟା ଡାକୁଆ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଏସେ କମ୍ପିଟେସନରେ ଜୁନିୟର ସ୍ତରରେ ଆଖୁପଦର ଆଦର୍ଶ ବିଦ୍ୟାଳୟର କିର୍ତି ଅରଜିତା ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସିନିୟର ବିଭାଗରେ ଗଣିଆ ସରକାରୀ ହାଇସ୍କୁଲର ଛାତ୍ରୀ ସୋନାଲି ସ୍ୱାଇଁ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଉଚ୍ଚ ଶିକ୍ଷା ସ୍ତରରେ କେ.ପି.ଡି ମହିଳା ମହାବିଦ୍ୟାଳୟ ଦଶପଲ୍ଲାର ଛାତ୍ରୀ ସୁଚିସ୍ମିତା ଦାସ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ପୋଏମରେ ଜୁନିୟର ବିଭାଗରେ ଲାଠିପଡା ନୋଡାଲ ହାଇସ୍କୁଲର ଛାତ୍ର ଦେବାଶିଷ ଚମ୍ପତି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।
ସିନିୟର ବିଭାଗର ନରସିଂହପୁର ହାଇସ୍କୁଲର ଇତିଶ୍ରୀ ପରିଡା, ହାୟର ଏଜୁକେସନ ସ୍ତରରେ ନୂଆଗାଁ ହାଇସ୍କୁଲର ଅନୁସୟା ମହାରଣା ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସେହିପରି ଭାବେ ଚିତ୍ରାଙ୍କନରେ ଜୁନିୟର ବିଭାଗରେ ଓଡିଶା ଆଦର୍ଶ ବିଦ୍ୟାଳୟ ସିପ୍ରାସୋମାଲିନ ପରିଡା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସିନିୟର ବିଭାଗରେ ଭାପୁର ବିଡି ବିଦ୍ୟାଳୟର ଛାତ୍ରୀ ଅଞ୍ଜଳୀ ସାମନ୍ତରାୟ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ହାୟର ଏଜୁକେସନ ସ୍ତରରେ ମହିପୁର କଲେଜର ଲାକ୍ରି ସନିୟା କିରଣଦାସ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସମସ୍ତଙ୍କୁ ଆଜି ଜିଲ୍ଲା ପ୍ରସାଶନ ତରଫରୁ ପୁରସ୍କୃତ କରାଯାଇଥିଲା । ଆଜିର ଏହି ଦିବସରରେ ସକାଳୁ ସକାଳୁ ରାମଧୁନ ସହ ତ୍ରିନାଥ ଛକଠାରେ ଅବସ୍ଥାପିତ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରତିମୁର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ସାଂସ୍କୃତି କାର୍ଯ୍ୟକ୍ରମ ଭାବେ ସ୍ୱଚ୍ଛତାହିଁ ସେବା ପରିବେଷଣ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମକୁ ସାମ୍ବାଦିକ ରାମକୃଷ୍ଣ ରଥ ମଞ୍ଚ ପରିଚାଳନା କରିଥିଲେ ।