ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ପାଣିପୋଇଲାଠାରେ ଅବସ୍ଥିତି ଚିନିଶିଳ୍ପ ଏବେ ରୁଗ୍ନ ଅବସ୍ଥାରେ ରହିଥିବା ବେଳେ ଏହାକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ପୁରୀ ସାଂସଦ ସମ୍ବିତ୍ ପାତ୍ର ନିର୍ବାଚନ ପ୍ରତିଶୃତି ଦେଇଥିଲେ । ଯାହାକୁ ନେଇ ଯୋଜନା ଓ ଆଲୋଚନା ଚାଲୁ ରହିଛି । ନୟାଗଡ଼ ସୁଗାର କମ୍ଲେକ୍ସ ଲିମିଟେଡ୍ ମାଲିକ ତୈଲୋକ୍ୟ ମିଶ୍ର, ଏମଡି ସବ୍ୟସାଚୀ ମିଶ୍ର, ନିର୍ଦ୍ଦେଶକ ଦେବସ୍ମିତା ମହାନ୍ତି, ଲିଗାଲ୍ ଆଡ୍ଭାଇଜର୍ ରମେଶ ଚନ୍ଦ୍ର ସାହୁ ପ୍ରମୂଖ ସାଂସଦଙ୍କୁ ଭେଟି ଆଲୋଚନା କରିଥିଲେ । ଆଜି ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଚିନିଶିଳ୍ପକୁ ନେଇ ଏକ ସମୀକ୍ଷା କରିଛନ୍ତି । ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାଷ ପଣ୍ଡା, ଡିଆରସିଏସ୍ ଅନନ୍ତ କୁମାର ନାୟକ, ଜିଲ୍ଲା ଶିଳ୍ପ ବିଭାଗ ପରିଚାଳକ ତ୍ରିଲୋଚନ ବେହେରା, ତହସିଲଦାର ରାଜେଶ କେଶରୀ ସ୍ୱାଇଁ ଏବଂ ୟୁକୋ ବ୍ୟାଙ୍କ କର୍ତ୍ତୁପକ୍ଷ ଉପସ୍ଥିତ ରହିଥିଲେ । ତହସିଲଦାର ଲିଜ୍ ଦିଆଯାଇଥିବା ୧୪୦ ଏକର ଜମି ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିବା ବେଳେ ଡିଆର୍ସିଏସ୍ ସମବାୟ ସମ୍ବନ୍ଧୀତ ତଥ୍ୟ ପ୍ରଦାନ କରିଛନ୍ତି । ଜିଲ୍ଲାପାଳ ଏ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିବା ସହ ବ୍ୟାଙ୍କ ଋଣ ସମ୍ପର୍କିତ ଆଲୋଚନା କରିଛନ୍ତି । ଚିନିଶିଳ୍ପକୁ ନେଇ ରହିଥିବା ମାମଲା ସମ୍ପର୍କରେ ଖୋଳତାଡ଼ କରାଯାଇଥିବା ବେଳେ ସମବାୟ ଏମଡି ସବୀର ପଣ୍ଡା ଅନୁପସ୍ଥିତ ରହିଥିବାରୁ ପୁଣି ଏକ ବୈଠକ କରାଯିବ ବୋଲି ସୂଚନା ମିଳିଛି ।