ନୟାଗଡ଼,(ବାଘୁଆବାର୍ତ୍ତା): ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ତଥା ଟେବୁଲ ଟପ୍ ଅଭ୍ୟାସ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ତାପତୀ ରାଜ୍, ଜିଲ୍ଲା ପ୍ରକଳ୍ପ ଅଧିକାରୀ(ଓସ୍ଡମା) ଅଶୋକ ରଥ, ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡା. ନୌସଦ୍ ଅଲ୍ଲୀ ଖାଁ ଏବଂ ସମ୍ମୁଖରେ ଉପସ୍ଥିତ ଥିବା ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଲାଇନ ବିଭାଗ ବୈଠକରେ ଉପସ୍ଥିତ ଥିଲେ । ଅତିରିକ୍ତ ଜିଲ୍ଲାପାଳ ଟେବୁଲ ଟପ୍ ବୈଠକ ଉପରେ ସୂଚନା ପ୍ରଦାନ କରି କହିଲେ ଯେ, ବିପର୍ଯ୍ୟୟ ସମୟରେ ସମସ୍ତ ବିଭାଗ ମଧ୍ୟରେ ଆର୍ନ୍ତବିଭାଗୀୟ ସମନ୍ୱୟ ରକ୍ଷା କରି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପରାମର୍ଶ ଦେଇଥିଲେ ।
ଆମ ଜିଲ୍ଲାରେ ଆପଦ ମିତ୍ର, ଗ୍ରାମ୍ୟ ବିପର୍ଯ୍ୟୟ ପରିଚାଳନା କମିଟି ସଭ୍ୟ, ପିଆରଆଇ ମେମ୍ବର, ମିଶନ ଶକ୍ତିର ସଭ୍ୟାଙ୍କୁ ନେଇ ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ରଖାଯାଇଛି । ଏମାନଙ୍କ ବ୍ୟତୀତ ବିଦ୍ୟାଳୟର ଶିକ୍ଷକ, ପଂଚାୟତ ସଂପ୍ରସାରଣ ଅଧିକାରୀ,ଅଙ୍ଗନବାଡ଼ି କର୍ମୀ, ସ୍ୱାସ୍ଥ୍ୟ ଅଧିକାରୀ, ଆଶାକର୍ମୀଙ୍କୁ ବିପର୍ଯ୍ୟୟ ସମୟରେ ଉପସ୍ଥିତ ରହି ସହଯୋଗ କରିବା ପାଇଁ ବିଭାଗୀୟ ଜିଲ୍ଲା ପଦାଧିକାରୀମାନେ ନିର୍ଦ୍ଦେଶ ଦେବା ପାଇଁ ପରାମର୍ଶ ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ଆସନ୍ତା ୧୭ ତାରିଖରେ ଆମ ଜିଲ୍ଲାର ସମସ୍ତ ବ୍ଲକରେ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ । ଏଥି ସହିତ ୧୮ ତାରିଖରେ ଜିଲ୍ଲାସ୍ତରରେ ଦିବା ୧୧ଘଟିକା ଠାରୁ ଅପରାହ୍ନ ୧ଘଟିକା ମଧ୍ୟରେ ଏବଂ ବ୍ଲକସ୍ତରରେ ଅପରାହ୍ନ ୩ ଘଟିକା ଠାରୁ ୫ଘଟିକା ମଧ୍ୟରେ ଟେବୁଲ ଟପ୍ ପ୍ରୟୋଗାତ୍ମକ ଅଭ୍ୟାସ କରାଯିବ ।
୧୯ ତାରିଖ ଆମ ଜିଲ୍ଲାରେ ଥିବା ୧୭ଗୋଟି ବାତ୍ୟା ଆଶ୍ରୟ ସ୍ଥଳୀରେ ଉଦ୍ଧାର କାର୍ଯ୍ୟର ମକ୍ଡ୍ରିଲ ଅଗ୍ନିଶମ ବିଭାଗ ଦ୍ୱାରା କରାଯିବା ପାଇଁ ସ୍ଥିର କରାଗଲା । ବିପର୍ଯ୍ୟୟ ପୂର୍ବ ପ୍ରସ୍ତୁତି, ବିପର୍ଯ୍ୟୟ ସମୟରେ ପ୍ରସ୍ତୁତି ଏବଂ ବିପର୍ଯ୍ୟୟ ପରେ ବିଭିନ୍ନ ବିଭାଗ ଦ୍ୱାରା କିପରି ଉଦ୍ଧାର କାର୍ଯ୍ୟ କରିବେ ସେ ସଂପର୍କରେ ପିପିଟି ମାଧ୍ୟମରେ ସୂଚନା ଦେବା ପାଇଁ ପରାମର୍ଶ ଦେଇଥିଲେ । ଉପଜିଲ୍ଲାପାଳ ଶ୍ରୀ ସମାଦ୍ଦାର ବିପର୍ଯ୍ୟୟରେ ସମସ୍ତଙ୍କର ମିଳିତ ସହଯୋଗ ରହିଲେ ଆମେ ଏହାର ମୁକାବିଲାରେ ସଫଳ ହେବା ବୋଲି ପ୍ରକାଶ କରିଥିଲେ । ସେ କହିଥିଲେ, ବିପର୍ଯ୍ୟୟର ସୂଚନା ପାଇଲା ପରେ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳରେ ବୃଦ୍ଧ, ଗର୍ଭବତୀ ମହିଳା ଏବଂ ଶିଶୁମାନଙ୍କର ଏକ ତାଲିକା ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ପ୍ରସ୍ତୁତ କରି ବାତ୍ୟା ଆଶ୍ରୟ ସ୍ଥଳିକୁ ସ୍ଥାନାନ୍ତର କରାଇବେ ।
ଏହା ପରେ ଜଳସେଚନ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ, ଜନସ୍ୱାସ୍ଥ୍ୟ, ସ୍ୱାସ୍ଥ୍ୟ, କୃଷି, ପ୍ରାଣୀ ଚିକିତ୍ସା, ଅଗ୍ନିଶମ, ଉଦ୍ୟାନକୃଷି, ମତ୍ସ୍ୟ, ଖାଦ୍ୟ ଯୋଗାଣ, ପରିବହନ, ଜଙ୍ଗଲ ଆଦି ବିଭାଗୀୟ ଅଧିକାରୀମାନେ ନିଜ ନିଜ ବିଭାଗ ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା । ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ମଧ୍ୟରେ ହାମସର ସଂପାଦକ ବିଜୟ ମହାପାତ୍ର, ଦହିଖାଇ ଯୁବକ ସଂଘ, ଲୋଧାଚୁଆ, ରଣପୁରର ସଂପାଦକ ହୃଷିକେଶ ନାୟକ ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ଗୃହରେ ଉପସ୍ଥାପନ କରିଥିଲେ । ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକର ରକ୍ଷଣା ବେକ୍ଷଣ ନିମନ୍ତେ ଆୟ ଉପରେ ଅତିରିକ୍ତ ଜିଲ୍ଲାପାଳ ବିଶେଷ ଗୁରୁତ୍ୱ ଆରୋପ କରିଥିଲେ । ଶେଷରେ ଅତିରିକ୍ତ ଜିଲ୍ଲାପାଳ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।