କେନ୍ଦୁଝର, (ବାଘୁଆବାର୍ତ୍ତା): ଦଲାଲଙ୍କ କବଜାରେ କେନ୍ଦୁଝର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟର ରକ୍ତଭଣ୍ଡାର, ଚାଲିଛି ବେଧଡ଼କ ରକ୍ତ ବିକ୍ରି। ମାଗଣାରେ ରକ୍ତ ଯୋଗାଇଦେବା ବଦଳରେ ରୋଗୀଙ୍କ ଠାରୁ ଲାଞ୍ଚ ନିଆଯାଉଛି। ଏହି ବେଆଇନ କାର୍ଯ୍ୟରେ ଦଲାଲଙ୍କ ସହ ରକ୍ତଭଣ୍ଡାରର କିଛି କର୍ମଚାରୀ ମଧ୍ୟ ସାମିଲ ଥିବା ଅଭିଯୋଗ କରାଯାଇଛି। ଅଗଷ୍ଟ ୨୯ ତାରିଖରେ ବଡ଼ବିଲ ଅଞ୍ଚଳର ଜଣେ ରୋଗୀ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ରକ୍ତର ଆବଶ୍ୟକତା ପଡିଥିଲା। ଏହି ସମୟରେ ରାଜେନ୍ଦ୍ର ସାହୁ ନାମକ ଦଲାଲ ରକ୍ତ ଯୋଗାଇଦେବାକୁ କହି ୩ ହଜାର ଟଙ୍କା ଦାବି କରିଥିଲା। ଏନେଇ ପରବର୍ତ୍ତୀ ସମୟରେ ରୋଗୀ ଜଣଙ୍କ ଥାନାରେ ଏତଲା ଦେଇଥିଲେ, କେନ୍ଦୁଝର ଥାନା ପୋଲିସ ଏହି ଘଟଣାରେ ୩ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ମେଡିକାଲକୁ ଆସୁଥିବା ଏଭଳି ଅନେକ ରୋଗୀ ଦଲାଲଙ୍କ ଶିକାର ହେଉଥିବା ବେଳେ ହସ୍ପିଟାଲ କର୍ତ୍ତୃପକ୍ଷ ନିଦାବିଷ୍ଣୁ ପାଲଟିଛନ୍ତି।