ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ
ନୟାଗଡ଼, (ବାଘୁଆବାର୍ତ୍ତା): ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପଠାଣି ସାମନ୍ତ ଅଡିଟୋରିୟମରେ ପାଳିତ ହୋଇଯାଇଛି। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କାମଦେବ ନାୟକଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇ. ଦେବାଶିଷ ପଟ୍ଟନାୟକ, ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ, ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସନାତନ କାଲୋ ପ୍ରମୁଖ ଯୋଗ ଦେଇଥିଲେ।
ପ୍ରଥମେ ଅତିଥିମାନେ ସ୍ୱାଧୀନତା ସଂଗ୍ରାମୀ ହରିବନ୍ଧୁ ପାତ୍ର, ଶତ୍ରୁଘ୍ନ ପରିଡ଼ାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ବରିଷ୍ଠ ନାଗରିକଙ୍କ ଅଭିଜ୍ଞତା ନୂଆପିଢ଼ି ପାଇଁ ନିହାତି ଆବଶ୍ୟକ ବୋଲି ଜିଲ୍ଲାପାଳ କହିଥିଲେ। ସମାଜ ବରିଷ୍ଠ ନାଗରିକଙ୍କ ପାଇଁ କଣ କରି ପାରିବ ତାହା ଚିନ୍ତା କରିବା ଆବଶ୍ୟକ ବୋଲି କହିଥିଲେ।
ପ୍ରତିଯୋଗିତା ମୂଳକ ସମାଜରେ ବସବାସ କରୁଥିବା ଲୋକଙ୍କ ପିତାମାତା ବୃଦ୍ଧାଶ୍ରମ ଠିକଣା ଖୋଜୁଥିବା ବେଳେ ଗାଁରେ ଚାଷ କରୁଥିବା ଯୁବକର ବାପାମାଆ ତା ପାଇଁ ଆଜି ବି ଭଗବାନ ବୋଲି ଜିଲ୍ଲା ପରିଷଦ ଅଧ୍ୟକ୍ଷ ମତ ଦେଇଥିଲେ। ଆମେ ଆପଣଙ୍କ ପୁଅ, ସବୁବେଳେ ଆପଣଙ୍କ ସହ ଅଛୁ ବୋଲି ଖଣ୍ଡପଡ଼ା ବିଧାୟକ ବକ୍ତବ୍ୟ ରଖିଥିଲେ।
ନୟାଗଡ଼ ବିଧାୟକ ଡ. ସାହୁ ସମାଜ ବିସ୍ତାରିତ ହେବା ବେଳକୁ ବରିଷ୍ଠ ନାଗରିକଙ୍କ ପ୍ରତି ସମାଜ ସଙ୍କୁଚିତ ହୋଇଯାଉଛି ବୋଲି କହିଥିଲେ। ସମୟକୁ ନିୟନ୍ତ୍ରଣ କରିବାର ଆବଶ୍ୟକତା ରହିଛି, ଏଥିପାଇଁ ସଚେତନତାର ଆବଶ୍ୟକତା ରହିଛି। ଆଜିର ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରୀକ ସଂଘର ସଭାପତି ପ୍ରମୋଦ ପଟ୍ଟନାୟକ ଅଭିଭାଷଣ ରଖିଥିଲେ ।
ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୁଚନା ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ଏବଂ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଅନେକ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ। ସକାଳୁ ସକାଳୁ ଏକ ଯୋଗ ଶିବିର ଆୟୋଜନ କରାଯାଇଥିଲା । ଏଥି ସହିତ ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା ।