ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ତରଫରୁ ଶିଳ୍ପ ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ପରିଦର୍ଶନରେ ୪୨ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ବିଭାଗର ମୁଖ୍ୟ ଡ. ଲକ୍ଷ୍ମୀଧର ସାହୁ, ଡ. ପ୍ରଦୀପ କୁମାର ଆଚାର୍ଯ୍ୟ, ଶୁଶାନ୍ତ କୁମାର ଅଧିକାରୀ, ଡ. କମଳ କୁମାର ବର୍ମା, ସୁପ୍ରଭା ମଲ୍ଲିକ, ସବିତା କଅଁର, ପ୍ରତିକ୍ଷା ରାୟ, ଅଜୟ କୁମାର ମହାନ୍ତି ଓ ମନୋରଞ୍ଜନ ଗୌଡ଼ ପାଣିପୋଇଲାସ୍ଥିତ ଉତ୍କଳ ପାଇପ କାରଖାନା, କଂକ୍ରିଟ କାରଖାନା ଓ ଖାଦ୍ୟ ସଂରକ୍ଷଣ ଶିଳ୍ପ ପରିଭ୍ରମଣ କରିଥିଲେ ।
ଏହି ଗସ୍ତ ଛାତ୍ରଛାତ୍ରୀ ମାନଙ୍କୁ ପାଇପ ଉତ୍ପାଦନ ପ୍ରକ୍ରିୟା, ଗୁଣବତ୍ତା ନିୟନ୍ତ୍ରଣ ଏବଂ ବ୍ୟବହୃତ ବିଭିନ୍ନ ଆଧୁନିକ ଯନ୍ତ୍ରପାତି ବିଷୟରେ ଜ୍ଞାନ ପ୍ରଦାନ କରାଇଥିଲା । ଉକ୍ତ ସଂସ୍ଥାର ମୁଖ୍ୟ ଏସ.କେ.ଅତହର ତାଙ୍କର ବହୁମୁଲ୍ୟ ସମୟ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ବୈଷୟିକ ପ୍ରକ୍ରିୟାର ବ୍ୟାଖ୍ୟାୟନ କରିଥିଲେ । ଏହା ସହିତ ବହୁତ ଗୁରୁତ୍ୱପୁର୍ଣ୍ଣ ପରାମର୍ଶ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଭବିଷ୍ୟତରେ ସଫଳ ହେବାପାଇଁ ପ୍ରୋତ୍ସାହିତ କରିଥିଲେ । ପରିଶେଷରେ ବାଣିଜ୍ୟ ବିଭାଗ ତରଫରୁ ଛାତ୍ରଛାତ୍ରୀ ଏବଂ ବିଭାଗର ଅଧ୍ୟାପକ ଓ ଆଧ୍ୟାପିକା ମାନେ କଲେଜର ଅଧ୍ୟକ୍ଷ ଡ. ବିପିନ କୁମାର ପଟ୍ଟନାୟକ, ପରୀକ୍ଷା ନିୟନ୍ତ୍ରକ ଡ. ଜାନକୀ ନାଥ ଦାସ ଜିଲ୍ଲା ଶିଳ୍ପ ଅଧିକାରୀ ଏବଂ ଉତ୍କଳ ପାଇପ ପ୍ରାଇଭେଟ ଲିମିଟେଡକୁ ଏଭଳି ଶିକ୍ଷଣୀୟ ପରିଦର୍ଶନର ସଫଳ ରୂପାନ୍ତରୀକରଣ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।