ଭୁବନେଶ୍ବର, (ବାଘୁଆବାର୍ତ୍ତା): ରାଜ୍ୟରେ ଓମ୍ଫେଡକୁ ଜାଣିଶୁଣି ରୁଗଣ କରିବାକୁ ସରକାର ପ୍ରୟାସ କରୁଥିବାର ବଡ଼ ଅଭିଯୋଗ ଆଣିଲା ଦୁଗ୍ଧ ଚାଷୀ ମହାସଂଘ। ୧୯୮୦ ଦଶକରେ ଓମ୍ଫେଡ ତିଆରି ହୋଇଥିଲା। ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେବନି ଓ ଖାଉଟି ସୁଲଭ ମୂଲ୍ୟରେ ଭଲ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ପାଇବାର ଉଦେଶ୍ୟ ଥିଲା। କିନ୍ତୁ ଏବେ ଓମ୍ଫେଡକୁ ଦୁଗ୍ଧ ଯୋଗାଣ ୬ ଲକ୍ଷ ୩୦ ହାଜର ଲିଟରରୁ ଖସି ୩ ଲକ୍ଷ ୧୦ ହଜାର ଲିଟରରେ ପହଞ୍ଚିଛି। ସରକାର ନିଜେ ଚାହାନ୍ତି ଅନ୍ୟ ଘରୋଇ ଡାଏରୀ ଓଡ଼ିଶାରେ ସମୃଦ୍ଧ ହେଉ। ଓମ୍ଫେଡକୁ ବିକ୍ରି କରିଦେବାକୁ ମସୁଧା କରୁଛନ୍ତି ରାଜ୍ୟ ସରକାର। ଚାଷୀ ଯଦି ଅଧିକ ପଇସା ନ ପାଇବ ଓମ୍ଫେଡକୁ କ୍ଷୀର ଦେବ କାହିଁକି ବୋଲି ପ୍ରଶ୍ନ କଲା ଦୁଗ୍ଧ ଚାଷୀ ମହାସଂଘ। ଓମ୍ଫେଡ ଚାଷୀଙ୍କୁ କ୍ଷୀର ଲିଟର ପିଛା ୩୫ ଟଙ୍କା ୫ ପଇସା ଦେଉଥିବ ବେଳେ ଅମୁଲ ଲିଟର ପିଛା ଚାଷୀଙ୍କୁ ୫୦ ଟଙ୍କା, ପ୍ରଗତି ୪୨ ଟଙ୍କା, ମିଲକୀ ମୁ ୪୨ ରୁ ୪୫ ଓ ଦେଉଛି। ତେଣୁ ଚାଷୀ ଓମ୍ଫେଡରୁ ମୁହଁ ମୋଡୁଛନ୍ତି। ଘର ପାଖରୁ କ୍ଷୀର ନେଉଛି ଅମୁଲ। ତେଣୁ ଲୋକେ ଅମୁଲକୁ କ୍ଷୀର ଦେବାକୁ ପସନ୍ଦ କରୁଛନ୍ତି। ତେଣୁ ରାଜ୍ୟର ଓମ୍ଫେଡ ସୋସାଇଟିଗୁଡିକ ଏବେ ରୁଗଣ। ସରକାର ଚାଷୀଙ୍କ ଦୁର୍ଦଶା ପ୍ରତି ଦୃଷ୍ଟି ନ ଦେବାରୁ ଏଭଳି ହେଉଛି। କ୍ଷୀରର ଉଚିତ ମୂଲ୍ୟ ଦେଉ ନାହାନ୍ତି, ସୁଲଭ ମୂଲ୍ୟରେ ଗୋଖାଦ୍ୟ କିମ୍ବା ପ୍ରାଣୀସମ୍ପଦର ଚିକିତ୍ସା ଦାୟିତ୍ୱ ବି ନେଉନାହାନ୍ତି ସରକାର। ତେଣୁ ଓମ୍ଫେଡକୁ ଦୁଗ୍ଧ ଦେଉଥିବା ଚାଷୀ ସଂଖ୍ୟା ୨ ଲକ୍ଷ ୭୮ ହଜାରରୁ କମି ଏବେ ଦେଢ଼ ଲକ୍ଷ ଚାଷୀ ରହିଛନ୍ତି। ତେଣୁ ଚାଷୀଙ୍କୁ କ୍ଷୀର ଲିଟର ପିଛା ୪୦ ଟଙ୍କା ନ ଦେଲେ ଓ ମାଗଣା ଚିକିତ୍ସା ଓ ଗୋଖାଦ୍ୟ ନ ଦେଲେ ରାଜ୍ୟବ୍ୟାପି ତୀଵ୍ର ଆନ୍ଦୋଳନ ହେବ। କର୍ଣ୍ଣାଟକରେ ଅମୁଲକୁ ପୁରାଇ ଦେଲେନି, ଆନ୍ଧ୍ର, ମହାରାଷ୍ଟ୍ରରେ ଅମୁଲକୁ ବିରୋଧ ହେଉଛି। କିନ୍ତୁ ଓଡିଶାରେ ଓଡ଼ିଶାର ଦୁଗ୍ଧ ଚାଷୀଙ୍କ ଭାଗ୍ୟକୁ ଓମ୍ଫେଡକୁ ଏନଡିଡିବି ଓ ଅମୁଲ ହାତକୁ ଟେକିଦିଆଯାଇଛି। ଯାହାକୁ ତୀଵ୍ର ବିରୋଧ କରିଛି ରାଜ୍ୟ ଦୁଗ୍ଧ ଚାଷୀ ମହାସଂଘ। ଏସବୁକୁ ବନ୍ଦ ନ କଲେ ଓ ଚାଷୀଙ୍କୁ ଦୁଗ୍ଧର ଉଚିତ ମୂଲ୍ୟ ନ ଦେଲେ ଓମ୍ଫେଡ ଇତିହାସ ହୋଇଯିବ ବୋଲି ଚେତାଇ ଦେଲେ ରାଜ୍ୟ ଦୁଗ୍ଧ ଚାଷୀ ମହାସଂଘ ଅଧ୍ୟକ୍ଷ ରବି ବେହେରା।