ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଦିନ ୧୦୦ଟା ଯାଇଛି, ମାତ୍ର ଓଡ଼ିଶାରେ ଆଇନଶୃଙ୍ଖଳା ପରିସ୍ଥିତିରେ ଘଟିଛି ଭୟଙ୍କର ଅବନତି । ପ୍ରତିଦିନ କେଉଁଠି ନା କେଉଁଠି ଗଣ ଦୁଷ୍କର୍ମ ଘଟଣାର ଖବର ଆସୁଛି । ଢେ଼ଙ୍କାନାଳ, ସମ୍ବଲପୁର, ନବରଙ୍ଗପୁର, ବାଲେଶ୍ୱର ପରେ ରାଜଧାନୀରେ ଘଟିଛି ପୁଣି ଏକ ଗଣଦୁଷ୍କର୍ମ। ଦୁଇ ବର୍ଷର ଶିଶୁ ସନ୍ତାନ ସମ୍ମୁଖରେ ଜଣକ ପରେ ଜଣେ ଦୁଇଜଣ ଦୁବୃର୍ତ୍ତ ଜଣେ ମହିଳାଙ୍କୁ ଗଣ ଦୁଷ୍କର୍ମ କରିଛନ୍ତି। ରାଜଧାନୀର ଛାତି ଉପରେ ଘଟିଥିବା ଏହି ଘଟଣା ରାଜ୍ୟବାସୀଙ୍କୁ ସ୍ତମ୍ଭୀଭୂତ କରିଛି । ଭରତପୁର ଥାନାରେ ଜଣେ ସେନା ଅଧିକାରୀଙ୍କ ବାଗଦତ୍ତାଙ୍କୁ ଦୁର୍ବ୍ୟବହାର, ଯୌନ ଉତ୍ପୀଡ଼ନ ଘଟଣା ରାଜ୍ୟ ପୁଲିସର ମଥା ତଳକୁ କରି ଦେଇଥିବାବେଳେ ମୈତ୍ରୀବିହାର ଥାନା ଅଞ୍ଚଳରେ ଏହି ଗଣଦୁଷ୍କର୍ମ ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ଓ ରାଜ୍ୟ ସରକାରଙ୍କ ଭୂମିକାକୁ ପ୍ରଶ୍ନର କାଠଗଡ଼ାରେ ଠିଆ କରିଛି। ମୌତ୍ରୀବିହାର ଥାନା ଅଧୀନ ନିଳମାଧବ ନଗରର ସରକାରୀ ଆବାସରେ ଆପାର୍ଟମେଣ୍ଟର ପ୍ରଥମ ମହଲାରେ ରହୁଥିବା ଜଣେ ମହିଳାଙ୍କ ସ୍ୱାମୀ କୌଣସି କାର୍ଯ୍ୟରେ ବାହାରକୁ ଯାଇଥିବାବେଳେ ନିଜର ୨ ବର୍ଷର ଝିଅ ସହ ମହିଳା ଜଣକ ଘରେ ରହିଥିଲେ। ରବିବାର ରାତ୍ରିିଭୋଜନ ସାରି ମହିଳା ଜଣକ ହାତ ଧୋଇବା ପାଇଁ ବାଥରୁମ୍ ଯାଇଥିବାବେଳେ ଦୁଇଜଣ ବ୍ୟକ୍ତି ବାଲକୋନି ବାଟ ଦେଇ ଘର ଭିତରେ ପ୍ରବେଶ କରିଥିଲେ। ଘରେ ଥିବା ଆଲମାରୀରୁ ସାମଗ୍ରୀ ଚୋରି କରିବା ବେଳେ ମହିଳାଜଣକ ଆସି ଯାଇଥିଲେ ଓ ସମ୍ପୃକ୍ତ ଦୁବୃର୍ତ୍ତଙ୍କୁ ଦେଖି ଭୟରେ ଚିତ୍କାର କରିଥିଲେ। ମାତ୍ର ଦୁଇ ଦୁବୃର୍ତ୍ତ ତାଙ୍କୁ ଛୁରୀ ଦେଖାଇ ଭୟଭୀତ କରିବା ସହ ସୁନା ଗହଣା ଦେବାକୁ ବାଧ୍ୟ କରିଥିଲେ ଓ ଚିତ୍କାର କଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ମହିଳା ଚୁପ୍ ରହିବାରୁ ସେମାନେ ଘରସାରା ଖୋଜାଖୋଜି କରିଥିଲେ ଓ ମହିଳା ପିନ୍ଧିଥିବା କାନଫୁଲ ବଳପୂର୍ବକ ନେଇ ଯାଇଥିଲେ। ସେହି ସମୟରେ ତାଙ୍କର ୨ ବର୍ଷର ଝିଅ ଉଠିପଡ଼ିଥିଲା ଓ ଦୁଇଜଣ ଅଜଣା ଲୋକଙ୍କୁ ଦେଖି କାନ୍ଦିଥିଲା। ମାତ୍ର ଦୁଇ ଦୁବୃର୍ତ୍ତ ଛୁରୀ ଦେଖାଇ ତାଙ୍କୁ ଚୁପ୍ ରହିବାକୁ ଧମକ ଦେଇଥିଲେ। ମହିଳାଙ୍କ ଅଭିଯୋଗ ଅନୁସାରେ ଦୁଇ ନର ରାକ୍ଷସ ତାଙ୍କୁ ଛୁରି ଦେଖାଇ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ। ପାଟିକଲେ ସେମାନେ ଝିଅକୁ ମାରିଦେବେ ବୋଲି ଧମକ ଦେଇଥିବାରୁ ଭୟରେ ସେ ଚୁପ୍ ରହିଥିଲେ। କାନ୍ଦୁଥିବା ଛୋଟିଆ ଝିଅଟି ସମ୍ମୁଖରେ ମହିଳାଙ୍କୁ ଜଣକ ପରେ ଜଣେ ଦୁବୃର୍ତ୍ତ ଦୁଷ୍କର୍ମ କରିବା ପରେ ତାଙ୍କ ମୋବାଇଲ ଫୋନ୍ ନେଇ ସେମାନେ ଚାଲି ଯାଇଥିଲେ। ଦୁଇ ଦୁବୃର୍ତ୍ତ ଚାଲିଯିବା ପରେ ମହିଳା ଜଣକ ପଡେ଼ାଶୀଙ୍କ ସହାୟତାରେ ସ୍ୱାମୀଙ୍କୁ ଜଣାଇଥିଲେ ଓ ଥାନାରେ ଅଭିଯୋଗ କରିଥିଲେ। ସମ୍ପ୍ରତି ସ୍ପେଶାଲ ସ୍କ୍ୱାଡ୍ ଓ ମୌତ୍ରୀ ବିହାର ଥାନା ପୁଲିସର ମିଳିତ ଟିମ୍ ତଦନ୍ତ କରୁଛି। ଏକ ଗଣଦୁଷ୍କର୍ମ ମାମଲା ରୁଜୁ କରି ପୁଲିସ ପୀଡିତାଙ୍କର ଡ଼ାକ୍ତରୀ ମାଇନା କରାଇଛି। ଏହି ବର୍ବରକାଣ୍ଡ ଭିଆଇଥିବା ୨ ଦୁର୍ବୃତ୍ତ ହିନ୍ଦୀରେ କଥା ହେଉଥିବାରୁ ସେମାନେ ରାଜ୍ୟ ବାହାରର ହୋଇଥିବା ଅନୁମାନ କରାଯାଉଛି। ଭରତପୁର କଳଙ୍କ କାହାଣୀର ତଦନ୍ତ ଚାଲିଥିବା ବେଳେ ଖୋଦ୍ ରାଜଧାନୀରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଘଟଣା ପୁଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନୂଆ ସରକାର ଆସିବା ପରେ ରାଜ୍ୟରେ ମହିଳା ଓ ବରିଷ୍ଠ ନାଗରିକ ଅସୁରକ୍ଷିତ ରହିବା ସହ ଆଇନ୍ଶୃଙ୍ଖଳା ବିଗିଡିଯାଇଥିବା ଅଭିଯୋଗ ହୋଇଛି। ଭରତପୁର ପରେ ରାଜଧାନୀରେ ଆଉ ଏକ ଲଜ୍ଜାଜନକ ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଲୁଟ୍ କରିବାକୁ ଆସି ମହିଳାଙ୍କ ଇଜ୍ଜତ ଦୁର୍ବୃତ୍ତ ଲୁଟିବା ଘଟଣାରେ ଦୁଇ ଅଭିଯୁକ୍ତ ମୈତ୍ରୀବିହାର ଥାନାରେ ଅଟକ ରଖାଯାଇଛି। ପୀଡିତାଙ୍କ ଅଭିଯୋଗ ପରେ ମୈତ୍ରୀ ବିହାର ପୁଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା। ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଗତ ରବିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିଲା। ଦୁଇ ଜଣ ଲୁଟେରା ଲୁଟ୍ କରିବାକୁ ଏହି ମହିଳାଙ୍କ ଘରେ ପଶିଥିଲେ। ସେତେବେଳେ ମହିଳା ଜଣଙ୍କ ତାଙ୍କ ଛୋଟ ଝିଅ ସହିତ ଶୋଇଥିଲେ। ଘରେ ଆଉ କେହି ନଥିଲେ। ଏହାର ସୁଯୋଗ ନେଇ ଲୁଟେରା ଦ୍ୱୟ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। ରାଜଧାନୀ ଭୁବନେଶ୍ୱରରେ ଏକ ଆପାର୍ଟମେଣ୍ଟରେ ଏମିତି ଏକ ଘଟଣା ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା। ପୂର୍ବରୁ ଅନେକ ଆପାର୍ଟମେଣ୍ଟରେ ଚୋରି ହୋଇଛି। କିନ୍ତୁ ଏଭଳି ଏକ ଘଟଣା କମିଶନରେଟ ପୁଲିସ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି।