ଦିଲ୍ଲୀ,(ବାଘୁଆବାର୍ତ୍ତା): ଟିକଟକ ସମେତ ଅନ୍ୟାନ୍ୟ ଚାଇନା ଆପଗୁଡ଼ିକର ପ୍ରସାରଣ ବନ୍ଦ କରିବା ପାଇଁ ହ୍ୱାଇଟ୍ ହାଉସ୍ ବିଚାର କରୁଛି ବୋଲି ଆମେରିକାର ସ୍ୱରାଷ୍ଟ୍ର ସଚିବ ମାଇକ୍ ପମ୍ପେଓ ଗତକାଲି କହିଛନ୍ତି। ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ପମ୍ପେଓ ପ୍ରଥମେ ଟିକଟକ୍ ସମ୍ପର୍କରେ ଉଲ୍ଲେଖ କରିଥିଲେ। ଏଥିରେ ଚାଇନା ମୋବାଇଲ୍ ଓ ଆପଗୁଡ଼ିକର ପ୍ରଶଂସା କରିବା ସହିତ ପମ୍ପେଓ ବେଇଜିଂ ସରକାରଙ୍କ ପ୍ରତାରଣାପୂର୍ଣ୍ଣ ପଦକ୍ଷେପକୁ ତୀବ୍ର ନିନ୍ଦା କରିଛନ୍ତି। ସେ କହିଛନ୍ତି, ‘ଚାଇନା କମ୍ପାନୀର ବୈଷୟିକ ଜ୍ଞାନକୌଶଳ ଉଚ୍ଚକୋଟୀର, ମାତ୍ର ବେଇଜିଂର ବିବାଦୀୟ ପଦକ୍ଷେପ କାରଣରୁ ସେମାନଙ୍କ ସହିତ ବାଣିଜ୍ୟ ସମ୍ପର୍କ ରଖିବା ଅନୁଚିତ।’ ପମ୍ପେଓଙ୍କ ବିବୃତି ଶୁଣିବା ପରେ ଟିକଟକ୍ ମୁଖପାତ୍ର କହିଛନ୍ତି, ‘ଉପଭୋକ୍ତାଙ୍କ ଗୁପ୍ତତଥ୍ୟକୁ ସାଇତି ରଖିବା ଆମେ ପ୍ରାଥମିକତା ଦେଉଛୁ। କୌଣସି ଦେଶର ସରକାର ସହିତ ଆମର ଗୁପ୍ତ ବୁଝାମଣା କରିବାର ନାହିଁ। ଉପଭୋକ୍ତାଙ୍କ ଗୁପ୍ତ ସୂଚନା ହସ୍ତାନ୍ତର କରିବାକୁ ଆମେ ବାଧ୍ୟ ନୋହୁ।’ ଆମେରିକା ଓ ଚୀନ ସମ୍ପର୍କ ଦିନକୁ ଦିନ ବିଗିଡ଼ିବାକୁ ଲାଗିଛି। ବିଶେଷ କରି କରୋନା ଭୂତାଣୁ ସଂକ୍ରମଣକୁ ନେଇ ୱାଶିଂଟନ୍ ଓ ବେଇଜିଂ ମଧ୍ୟରେ ଅଧିକ ବ୍ୟବଧାନ ସୃଷ୍ଟି ହୋଇଛି। ଚୀନର କମ୍ୟୁନିଷ୍ଟ ପାର୍ଟି ଶାସନକୁ ୱାଶିଂଟନ କଦାପି ବରଦାସ୍ତ କରୁନି ବୋଲି ବେଇଜିଂ ଅଭିଯୋଗ କରୁଛି।