ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାର ଜୀବନ ରେଖା କୁହାଯାଉଥିବା ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ ଏବେ ଆଶା ଉଜ୍ୱଳିତ ହୋଇଛି । ନୟାଗଡ଼ ଭଳି ମରୁଡ଼ି ପ୍ରବଣ ଜିଲ୍ଲା ନିମନ୍ତେ ବହୁ ପ୍ରତୀକ୍ଷିତ ପ୍ରକଳ୍ପ ଯଥେଷ୍ଟ ଗୁରୁତ୍ୱ ବହନ କରୁଛି । ଏହି ଆକାକ୍ଷିଂ ପ୍ରକଳ୍ପ ମାଧ୍ୟମରେ ଦଶପଲ୍ଲା, ନୟାଗଡ଼, ନୂଆଗାଁ, ଖଣ୍ଡପଡ଼ା ଏବଂ ଓଡ଼ଗାଁ ବ୍ଲକର ୨୩ ହଜାର ୩୦୦ ହେକ୍ଟର ଜମିକୁ ସ୍ଥାୟୀ ଜଳସେଚନ କରାଯିବାର ପରିକଳ୍ପନା ରହିଛି । ବୃତ୍ତଙ୍ଗ ପ୍ରକଳ୍ପ ପାଇଁ ଆଜି କେନ୍ଦ୍ର ସରକାରଙ୍କ ଜଙ୍ଗଲ, ପରିବେଶ ଓ ପର୍ୟ୍ୟାବରଣ ମନ୍ତ୍ରାଳୟ ଦ୍ୱିତୀୟ ପର୍ଯ୍ୟାୟ ପରିବେଶ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ପରିବେଶ ମଞ୍ଜୁରୀ ପାଇବା ପାଇଁ ଧାର୍ଯ୍ୟ ହୋଇଥିବା ସମସ୍ତ ୩୬ଟି ଅନୁବନ୍ଧିତ ସର୍ତ୍ତାବଳୀ ପୁରଣ କରାଯାଇଥିଲା । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକରେ ନିର୍ମାଣ ହେବାକୁ ଥିବା ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପକୁ କେନ୍ଦ୍ର ସରକାରଙ୍କ ଜଙ୍ଗଲ, ପରିବେଶ ଓ ପର୍ଯ୍ୟାବରଣ ମନ୍ତ୍ରାଳୟ ଦ୍ୱିତୀୟ ପର୍ଯ୍ୟାୟ ପରିବେଶ ମଞ୍ଜୁରୀ ପ୍ରଦାନ କରିଛନ୍ତି ।
ନବୀନ ସରକାର ଏଥିପାଇଁ ବହୁ ପଦକ୍ଷେପ ଗ୍ରହଣ କରିଥିଲେ । ଏହି ପ୍ରକଳ୍ପ ପାଇଁ ୧୭ ଶହ କୋଟି ଟଙ୍କା ଅନୁମୋଦନ କରାଯାଇଛି । ଦଶପଲ୍ଲାରେ ଜଳସେଚନ ବିଭାଗ ପକ୍ଷରୁ ବୃତ୍ତଙ୍ଗ ପ୍ରକଳ୍ପ ପାଇଁ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଖୋଲା ଯାଇ ଆନୁସଙ୍ଗିକ କାର୍ଯ୍ୟ ଆରମ୍ଭ ହୋଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରୟାସ ଓ ପ୍ରଚେଷ୍ଟାରେ ବୃତ୍ତଙ୍ଗ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଥିବାରୁ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଜିଲ୍ଲାବାସୀଙ୍କ ପକ୍ଷରୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହା ସହିତ ଜିଲ୍ଲାର ବିକାଶ କ୍ଷେତ୍ରରେ ବୃତ୍ତଙ୍ଗ ପ୍ରକଳ୍ପ ମୁଖ୍ୟ ଭୂମିକା ନିର୍ବାହ କରିବ ବୋଲି ଡ. ସାହୁ କହିଛନ୍ତି । ବର୍ତ୍ତମାନର ରାଜ୍ୟ ସରକାର ବୃତ୍ତଙ୍ଗ ଜଳସେଚନ ଯୋଜନାକୁ ଆଗକୁ ବଢ଼ାଇବାକୁ ସେ ନିବେଦନ କରିଛନ୍ତି । ତ୍ୱରିତ ବେଗରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଉ ବୋଲି କହିଛନ୍ତି ।