କଟକ, (ବାଘୁଆବାର୍ତ୍ତା): ପୁରୁଣା କ୍ଲାସିକ୍ ଓଡ଼ିଆ ଫିଲ୍ମରେ ଚାଲୁଥିବ । ଲୋକପ୍ରିୟ କଳାକାରଙ୍କ ସର୍ବକାଳୀନ ଶ୍ରେଷ୍ଠ ଡାଏଲଗ୍ଗୁଡିକ ଧାଡ଼ି ଧାଡ଼ି ହେଇ ଲେଖାଥିବ । କାରାଓକେରେ ଓଡ଼ିଶା ସଂଗୀତର ଧୂନ୍ରେ ଯେକେହି ନିଜ ସ୍ୱରକୁ ଯୋଡ଼ିପାରି ଗୀତକୁ ଅନୁଭବ କରିପାରିବେ । ପ୍ରଦର୍ଶିତ ହେବ ୯ ଦଶନ୍ଧିର ଓଡ଼ିଆ ଚଳଚ୍ଚିତ୍ର କ୍ରମ ବିକାଶର ଚିତ୍ର । ଚଳିତ ବର୍ଷ କଟକ ବାଲିଯାତ୍ରାରେ ଓଡ଼ିଆ ଚଳଚ୍ଚିତ୍ରକୁ ନେଇ ଏମିତି ଏକ ନିଆରା ପରିବେଶ ସୃଷ୍ଟି କରିବାକୁ ଆଗେଇଛି ଆୟୋଜକ ଜିଲ୍ଲା ପ୍ରଶାସନ । ବାଲିଯାତ୍ରାରେ ଓଡ଼ିଆ ଚଳଚ୍ଚିତ୍ରର ପ୍ରୟୋଗଶାଳାକୁ ଲୋକେ ଦେଖିବାକୁ ପାଇବେ ଏବଂ ପୁରୁଣା ଦିନର ସ୍ମୃତିରେ ନିଜକୁ ହଜେଇଦେବାର ଅଭିଜ୍ଞତା ବି ହାସଲ କରିବେ । ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ ଦ୍ୱାରା ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’ରୁ ଓଡ଼ିଆ ଚଳଚ୍ଚିତ୍ର ଦୁନିଆର ଅୟମାରମ୍ଭ । ୧୯୩୬ ମସିହାରେ ଏହା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ରର ମାନ୍ୟତା ପାଇଛି । ଏଭିତରେ ପ୍ରାୟ ୮୮ ବର୍ଷ ବିତିବାକୁ ବସିଲାଣି । ଶତାଧିକ ଓଡ଼ିଆ କଥାଚିତ୍ର, ହଜାର ହଜାର କଳାକାରଙ୍କ ସମୟ ଦେଇ ଗତି କରିଛି ଓଡ଼ିଆ ଚଳଚ୍ଚିତ୍ର ଦୁନିଆ । ଓଡ଼ିଆ ଅସ୍ମିତାର ପ୍ରତିଛବି ମଧ୍ୟ ଏଥିରେ ପ୍ରତିଫଳିତ ହୋଇଛି । ଖାସ୍ ସେଇଥିପାଇଁ ଚଳିତ ବର୍ଷ ବାଲିଯାତ୍ରାରେ ଓଡ଼ିଆ ଚଳଚ୍ଚିତ୍ରକୁ ନେଇ କିଛି ନିଆରା ଯୋଜନା ହାତକୁ ନେଇଛି । ‘ଓଡ଼ିଆ ଚଳଚ୍ଚିତ୍ର ମାଧ୍ୟମରେ ଓଡ଼ିଆ ଅସ୍ମିତା’ ପ୍ରସଙ୍ଗ ରଖି ପ୍ରଶାସନ ତରଫରୁ ତଳ ବାଲିଯାତ୍ରା ପଡିଆର କଟକ ଇନ୍ କଟକ ପରିସରରେ ହେବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶନୀ । ଓଡ଼ିଆ ଚଳଚ୍ଚିତ୍ରର କ୍ରମବିକାଶର ଟିକିନିକି ଚିତ୍ରକୁ ଏଠାରେ ସ୍ଥାନିତ କରିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା । ସୂଚନା ମୁତାବକ, ଓଡ଼ିଆ ଚଳଚ୍ଚିତ୍ର ଉତ୍ଥାନରୁ ନେଇ ବର୍ତ୍ତମାନ ସମୟ ଯାଏ ଏକ ଫଟୋଚିତ୍ର ପ୍ରଦର୍ଶନୀ କରାଯିବ । ଯେଉଁଥିରେ ପ୍ରସିଦ୍ଧ କଳାକାର, ସଂଗୀତ ନିର୍ଦ୍ଦେଶକ, ନିର୍ଦ୍ଦେଶକଙ୍କ ଫଟୋଚିତ୍ର ପ୍ରଦର୍ଶିତ ହେବ । ଚଳଚ୍ଚିତ୍ର ଦୁନିଆ କିଭଳି ବୈଷୟିକ ସ୍ତର ଦେଇ ଗତି କରିଛି ସେ ସବୁକୁ ଲୋକଙ୍କୁ ଦେଖାଇବାକୁ ଫିଲ୍ମ ତିଆରି କିଛି ଯନ୍ତ୍ରପାତି ପ୍ରଦର୍ଶନୀ କରିବାକୁ ଯୋଜନା ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା, ଏକ ଆମ୍ପି ଥିଏଟର୍ କଟକ ଇନ୍ କଟକ ଭିତରେ କରାଯିବ । ଯେଉଁଥିରେ ପ୍ରାୟ ୧୦୦ ଜଣ ଦର୍ଶକ ଏକାସଙ୍ଗେ ବସି ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ଦେଖିବାକୁ ସୁଯୋଗ ପାଇବେ । ଏହା ସମ୍ପୂର୍ଣ୍ଣ ମାଗଣା ରହିବ ବୋଲି ଜଣାପଡିଛି । ଏଥିରେ ବହୁ ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ । ସେହିପରି କାରାଓକେ ବ୍ୟବସ୍ଥା ବି ଏଠାରେ ଉପଲବ୍ଧ ରହିବ । ଅର୍ଥାତ୍ ଓଡ଼ିଆ ଗୀତ ଗୁଡିକର କେବଳ ଧୂନ୍ ଗୁଡିକ ଏଠାରେ ରହିଥିବ । ମାଇକ୍ ଯୋଗେ ଧୂନ୍କୁ ବ୍ୟବହାର କରି ବାଲିଯାତ୍ରା ବୁଲିବାକୁ ଆସୁଥିବା ଲୋକେ ନିଜେ ସେହି ଗୀତଗୁଡିକ ବୋଲିପାରିବେ । ଏ ସଂକ୍ରାନ୍ତରେ କଟକର ଉପଜିଲ୍ଲାପାଳ ଶିବ ଟପ୍ପୋ କହିଛନ୍ତି, ଓଡ଼ିଆ ଅସ୍ମିତାକୁ ଲୋକଙ୍କ ମଧ୍ୟରେ ଜାଗୃତ କରାଇବାକୁ ଏଭଳି ଉଦ୍ୟମ କରାଯାଉଛି । ଏକ ଏଜେନ୍ସିକୁ ଏହାର ଦାୟିତ୍ୱ ଦିଆଯାଇଛି । ସେମାନେ ବିଭିନ୍ନ ପ୍ରଯୋଜନା ଓ ନିର୍ଦ୍ଦେଶନା ସଂସ୍ଥା ସହ ଯୋଗାଯୋଗ କରି ସେମାନଙ୍କ ସହଯୋଗ ନେବେ । ଓଡ଼ିଆ ଚଳଚ୍ଚିତ୍ରକୁ ଜନମାନସକୁ ଫେରାଇ ଆଣିବାକୁ ଏଭଳି ପ୍ରଚେଷ୍ଟା କରାଯାଉଛି। ସୂଚନାଯୋଗ୍ୟ, ଗତ ଦୁଇବର୍ଷ ଧରି କଟକ ଇନ୍ କଟକକୁ ଥିମ୍ ପାର୍କ ଭାବେ ବାଲିଯାତ୍ରାରେ ବ୍ୟବହାର କରାଯାଉଛି । ୨୦୨୨ ବାଲିଯାତ୍ରାରେ କଟକର ଐତିହାସିକ କୀର୍ତ୍ତିରାଜିକୁ ନେଇ ଏକ ନିଆରା ପରିବେଶ ସୃଷ୍ଟି କରାଯାଇଥିଲା । ଯେଉଁଥିରେ କଟକ ଚଣ୍ଡୀମନ୍ଦିର, ଧବଳେଶ୍ୱର, ଗୁରୁଦ୍ୱାର, କଦମରସୁଲ, ଚର୍ଚ୍ଚ ଆଦିର ନକଲ ତିଆରି କରାଯାଇ ପ୍ରଦର୍ଶିତ ହୋଇଥିଲା । ସେହିପରି ୨୦୨୩ରେ ଗ୍ରାମୀଣ ଓଡ଼ିଶାର ଚିତ୍ରର ବିଷୟବସ୍ତୁରେ ପରିବେଶ ସୃଷ୍ଟି କରାଯାଇଥିଲା ।