ନୟାଗଡ଼, (ବାଘୁଆବାର୍ତ୍ତା): ଆଜି ବିଧାନ ସଭାରେ ଚାଲିଥିଲା ସୁଭଦ୍ରା ଆଲୋଚନା । ସୁଭଦ୍ରା ଆଲୋଚନାରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ସାମିଲ ହୋଇ ସରକାରଙ୍କୁ ଘେରିଥିଲେ । ସୁଭଦ୍ରା ଯୋଜନାର ବିଭିନ୍ନ ଦିଗକୁ ନେଇ ଡ. ସାହୁ ସମାଲୋଚନା କରିବା ସହ ସରକାରଙ୍କୁ ଅନେକ ପରାମର୍ଶ ଦେଇଥିଲେ । ଏ ସରକାର ଆଉ ଅଢ଼େଇ ମାସର ଶିଶୁ ନୁହେଁ । ଗୋଟିଏ ଅଭିଜ୍ଞ ଚତୁର ସରକାର ବୋଲି ଡ. ସାହୁ ପ୍ରକାଶ କରିଥିଲେ । ଏଥି ସହିତ ବିଧାନ ସଭା ଭିତରେ ବିଜେପି ଦଳ ପକ୍ଷରୁ ଯେଉଁ ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଥିଲା ସେ ବହିଟିକୁ ଦେଖାଇ ସରକାରଙ୍କ ଉପରେ ବର୍ଷିଥିଲେ । ଡ. ସାହୁ କହିଥିଲେ ଏହି ବହିଟିକୁ ପଢ଼ିଲେ ୨୪ ଘଣ୍ଟା ଲାଗିବ । ପୁରଣ ହେବା ପାଇଁ କେତେ ବର୍ଷ ଲାଗିବ ବୋଲି ପ୍ରଶ୍ନ ପଚାରିଥିଲେ । ନିର୍ବାଚନ ଇସ୍ତାହାର ପ୍ରତି ଦଳର ଅଙ୍ଗିକାର ବଦ୍ଧତାକୁ ପ୍ରକାଶ କରେ । ୨୦୧୪ ମସିହାରେ କହିଥିଲେ ଓଡିଶାକୁ ସ୍ୱତନ୍ତ୍ର ପାହ୍ୟାର ମାନ୍ୟତା ଦେବୁ । ଏହା କଲେ ନାହିଁ । ବର୍ତମାନ ଡବଲ ଇଞ୍ଜିନ ସରକାର ଚାଲିଛି ଅର୍ଥ ଦେବା ପାଇଁ କାହିଁକି ପଛଉଚ ବୋଲି ପ୍ରଶ୍ନ କରିଥିଲେ । ଭାତ ହାଣ୍ଡିରୁ ଗୋଟିଏ ଚିପିଲେ ଭାତର ପରିସ୍ଥିତି ବୁଝି ହେବ । ସରକାର ବାରମ୍ବାର କଥା ବଦଳାଇବାରେ ଲାଗିଛନ୍ତି । କେନ୍ଦ୍ରର ବଡ଼ ଇଞ୍ଜିନ କେବେବି ଓଡିଶାକୁ ସାହାଯ୍ୟ କରିନାହିଁ । ମାନ୍ୟବର ଉପମୁଖ୍ୟମନ୍ତ୍ରୀ କେଉଁ ଉଦ୍ୟମିତା ଓ ଲକ୍ଷପତି ସୃଷ୍ଟି କରିବାର କଥା କହୁଛନ୍ତି ଏହା କ’ଣ ୫ ହଜାର ଟଙ୍କାରେ ପୁରଣ ହେବ ବୋଲି ପ୍ରସଙ୍ଗ ଉଠାଇଥିଲେ । ବିଜେପି ନିର୍ବାଚନ ଇସ୍ତାହରରେ ଘୋଷଣା କରିଥିଲା ସମସ୍ତ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ଦିଆଯିବ । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବିଧାନ ସଭାରେ କହିଲେ ଆମେ ୫ ହଜାର ଟଙ୍କା ଦେବୁ । ଓଡିଶାର ପ୍ରତ୍ୟେକ ମହିଳାଙ୍କୁ ଦୁଇ ବର୍ଷରେ ୫୦ ହଜାର ଟଙ୍କା ଭାଉଚର ମାଧ୍ୟମରେ ଦେବୁ । ଯଦି ଜଣଙ୍କର ଶିକ୍ଷା, ସ୍ୱାସ୍ଥ୍ୟ ଓ ଉଦ୍ୟମିତା କଥା କହୁଛନ୍ତି ଏ ୫ ହଜାର ଟଙ୍କା କ’ଣ ହେବ ବୋଲି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ପ୍ରଶ୍ନ ପଚାରିଛନ୍ତି । ବିଜେପିର ପ୍ରତିଶୃତି ସଦାସର୍ବଦା ପ୍ରତାରଣା ସଦୃଶ ହେଉଛି । ସରକାର କହୁଛନ୍ତି ଏକ କୋଟି ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବୁ । ଯେଉଁଠି ସିଆରପି ଏମବିକେ, ଅଙ୍ଗନୱାଡି କର୍ମୀ ମାନେ ଏଥିରୁ ବାଦ ପଡୁଛନ୍ତି କେଉଁପରି ଭାବେ ଏକ କୋଟି ମହିଳାଙ୍କୁ ସାମିଲ କରିବେ ଏହା ଏକ ପ୍ରଶ୍ନବାଚୀ । ଯେଉଁ ମାନଙ୍କୁ ୫୭ ରୁ ୫୮ ବର୍ଷ ହୋଇଛି ସେମାନେ କେତେ ବର୍ଷ ଏହି ଯୋଜନାର ଲାଭ ପାଇବେ । ଅନ୍ୟ ଏକ ପକ୍ଷରେ ୧୮ ରୁ ୨୧ ବର୍ଷ ପର୍ଯ୍ୟନ୍ତ ମହିଳା ମାନେ କିପରି ଏଥିରେ ସାମିଲ ହେବେ । ସେମାନେତ ଭୋଟ ଦେଇଛନ୍ତି ବିଜେପିର ମହିଳାଙ୍କ ସଂଜ୍ଞା କଣ ଅରୁଣ ପ୍ରଶ୍ନ ବାଣ କରିଛନ୍ତି । ବିକଷିତ ଓଡିଶା ବିକଷିତ ଭାରତର ନାରା ଦେଉଥିବା ବିଜେପି ସରକାର ମହିଳା ମାନଙ୍କୁ ଏହା କ’ଣ ଉପହାସ ନୁହେଁକି । ୫ ହଜାର ଟଙ୍କାରେ ଜଣେ ମହିଳା କିପରି ରୋଜଗାର କ୍ଷମ ହୋଇ ପାରିବ ବୋଲି ପ୍ରଶ୍ନ ପଚାରିଛନ୍ତି ଅରୁଣ । ଏହି ମର୍ମରେ ଡ. ସାହୁ ଅସତ୍ୟ ନୁହେଁ ସୌଦାଗର, ତୋ ବାକ୍ୟ ତୁହିଁ ରକ୍ଷା କର ବୋଳି ପ୍ରକାଶ କରିଥିଲେ । ଲୋକ ମାନଙ୍କୁ ଯେଉଁ ପ୍ରତିଶୃତି ଦେଇଛ ତୁରନ୍ତ ପୁରଣ କର ବୋଲି ସେ ବିଧାନ ସଭାରେ ବକ୍ତବ୍ୟ ରଖିଥିଲେ ।