ଦଶପଲ୍ଲା,(ବାଘୁଆବାର୍ତ୍ତା ବ୍ୟୁରୋ): ଦଶପଲ୍ଲା ପୌରାଞ୍ଚଳର ମଧ୍ୟସ୍ଥଳରେ ଥିବା ବହୁ ପୁରାତନ ନାରାୟଣଗଞ୍ଜ ହାଟର ଅବସ୍ଥା କ୍ରମଶଃ ଦୁର୍ବିସହ ହେବାରେ ଲାଗିଛି । ଉନ୍ନବିଂଶ ଶତାବ୍ଦିର ପ୍ରାରମ୍ଭରୁ ତଥା ଦଶପଲ୍ଲା ଗଡଜାତର ତତ୍କାଳୀନ ରାଜା ସାହେବଙ୍କ ଅମଳରେ ଏହି ହାଟ ଅରମ୍ଭ ହୋଇଥିଲା । ଏହାର ମୂଳ ଲକ୍ଷ୍ୟ ଥିଲା ଗଡଜାତ ରାଜ୍ୟର ୧୮ ପ୍ରଗଣା ଅଞ୍ଚଳରେ ବସବାସ କରୁଥିବା ପ୍ରଜାମାନଙ୍କ ଉତ୍ପାଦିତ ସାମଗ୍ରୀ ଏଡି ହାଟ ମାଧ୍ୟମରେ କିଣାବିକା କରିବେ । ଗୋଟିଏ ସ୍ଥାନରେ ସେମାନଙ୍କର ଉତ୍ପାଦିତ ସାମଗ୍ରୀ ବିକ୍ରି କରିବା ସହ ନିଜର ଆବଶ୍ୟକ ସାମଗ୍ରୀ ମଧ୍ୟ କ୍ରୟ କରିପାରିବେ । ସପ୍ତାହର ୨ଗୋଟି ଦିନ ଯଥାକ୍ରମେ ରବିବାର ଏବଂ ବୁଧ ବାର ଦିନ ହାଟ ବସି ଏହି କିଣାବିକା ହୁଏ । ତେବେ ହାଟ ଉଦ୍ଦିଷ୍ଟ ସ୍ଥାନଟି ପାଟପୁର ମୌଜା ପ୍ଲଟ ନଂ ୪୦୧/ ଖାତା ନଂ ୨୦୬ ହୋଇଥିବା ବେଳେ ଏହାର ଇଲାକା ମୋଟ ଏ୩.୩୦ ଡିସିମିଲ ଏବଂ କିସମ ହେଲା ପତିତ ଜମି । ୧ଶହ ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି ଚାଲିଆସୁଥିବା ଏହି ହାଟ ଯାଗାରୁ ସ୍ଥାନୀୟ କିଛି ପ୍ରଭାବଶାଳୀ ଲୋକ ଧୀରେ ଧୀରେ କବ୍ଜା କରିବାକୁ ଅରମ୍ଭ କଲେଣି । ଫଳରେ ହାଟର ଆୟତନ କମିବାରେ ଲାଗିଲାଣି । ପଞ୍ଚାୟତିରାଜ ବିଭାଗ ଅଧିନରେ ଏହି ହାଟଟି ରହିଥିଲେ ମଧ୍ୟ ତାର ସୁରକ୍ଷା କିମ୍ବା ରକ୍ଷଣାବେକ୍ଷଣ ପ୍ରତି କେହି ଆଦୌ ଦୃଷ୍ଟି ଦେଉନଥିବାରୁ କିଛି ଜବରଦଖଲକାରୀ ଅନାୟାସରେ ପକ୍କାଘର ଆଦି କରି ନିଜର ଆସ୍ଥାନ ଜମେଇ ବସିଲେଣି ।
କାଳକ୍ରମେ ଏହି ହାଟଟି ୨୯.୫.୨୦୧୪ ମସିହାରୁ ପଞ୍ଚାୟତିରାଜ ବିଭାଗ ନିୟନ୍ତ୍ରଣରୁ ନଗର ଉନ୍ନୟନ ବିଭାଗକୁ ହସ୍ତାନ୍ତର କରାଯାଇଥିବା ସରକାରୀ ଭାବେ ଜଣାଯାଇଛି । ଏବେ ଦୀର୍ଘ ୪ ବର୍ଷ ହେବ ବିଜ୍ଞାପିତ ଅଞ୍ଚଳ ପରିଷଦର ନିଜସ୍ୱ ପରିଚାଳନାରେ ତଥା ନିୟନ୍ତ୍ରଣରେ ଥିବା ଏହି ହାଟଟିର ସେଭଳି କୌଣସି ଉନ୍ନତି ପରିଲକ୍ଷିତ ହେଉନାହିଁ । ପରନ୍ତୁ ପୂର୍ବାପେକ୍ଷା ଜବରଦଖଲକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ପ୍ରତି ହାଟ ପାଳିରେ ଏଠାକୁ ପନିପରିବା, ରବି ଫସଲ, ଚାଷରେ ବ୍ୟବହୃତ ସାମଗ୍ରୀଳ, ମନୋହରୀ ଦୋକାନ, ଲୁଗାଦୋକାନ, ମସଲା ଦୋକାନ, ଗୁଡବେପାରୀ, ଜଳଖିଆ ଦୋକାନ, ବାଉଁଶ କାରିଗରୀ ଦୋକାନ, ଛାଡୁ କତା ପାପୋଛ ଦୋକାନ, ଚା, ପାନଦୋକାନ ଆଦି ଆସୁଥିବା ବେଳେ ସେମାନଙ୍କର ବସିବା ପାଇଁ ପିଣ୍ଡିର ସୁବିଧା ନଥିବାରୁ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଏଡି ହାଟର ଆୟତନ ଅପେକ୍ଷାକୃତ ବଡ ହୋଇଥିଲେ ମଧ୍ୟ ଏହା ମଧ୍ୟକୁ ଯିବା ଆସିବା ପାଇଁ ସ୍ୱତନ୍ତ୍ର ପଥ ନାହିଁ । ଫଳରେ ବ୍ୟବସାୟୀମାନେ ସେମାନଙ୍କର ମାଲବୁହା ଗାଡିଗୁଡିକୁ ହାଟର ପଛପଟ ନେତାଜୀ ପଡିଆ ପାଖ ରାସ୍ତା ଦେଇ ଆଣୁଥିବା ବେଳେ କେହି କେହି ରାସ୍ତାରେ ଅନ୍ଲୋଡ କରି ବୋହି ବୋହି ଆଣିବାକୁ ପଡୁଥିଲେ ବି ଏଥିପ୍ରତି କାହାରି ଦୃଷ୍ଟି ପଡୁନାହିଁ । କେବଳ ଦୋକାନ ବଜାର ନୁହେଁ ଗୋରୁହାଟ ପାଇଁ ମଧ୍ୟ ଏହି ହାଟର ପ୍ରସିଦ୍ଧି ରହିଛି । ଏହି ହାଟରେ ଗାଈ, ବଳଦ, ଛେଳି, ମେଣ୍ଢା, କୁକୁଡା ଆଦି ମଧ୍ୟ କ୍ରୟ ବିକ୍ରୟ କରାଯାଏ । କିନ୍ତୁ ହାଟ ମଧ୍ୟରେ ଏହିଭଳି ଜୀବଜନ୍ତୁଙ୍କ ପାଇଁ ସାମାନ୍ୟ ତମ ବ୍ୟବସ୍ଥା ଏପରିକି ଖରାଦିନେ ପାଣିପିଇବା ପାଇଁ କୁଣ୍ଡର ବ୍ୟବସ୍ଥା ମଧ୍ୟ କରାଯାଇ ନଥିବାରୁ ହାଟକୁ ଜନ୍ତୁ ଆଣି ଆସୁଥିବା ବ୍ୟବସାୟୀମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ପ୍ରତି ଜନ୍ତୁ ପିଛା ବଟି ଆଦାୟ କରାଯାଉଥିଲେହେଁ ସେମାନଙ୍କ ପାଇଁ ନ୍ୟୁନତମ ସୁବିଧା କରାଯାଇନଥିବା କଥା କୁହନ୍ତି ଗୋରୁ ବ୍ୟବସାୟୀ ଜଲାଲୁଦିନ ଖାଁ ।
ହାଟର ଅନ୍ୟ ଏକ ଦିଗ ପ୍ରତି ଦୃଷ୍ଟି ଦେବା ଏକାନ୍ତ ଅବଶ୍ୟକ ଯାହାକି ହାଟକୁ ଆସୁଥିବା ବ୍ୟବସାୟୀ ଏବଂ କ୍ରେତା ମାନଙ୍କ ଯାନବାହନ ରଖିବା ସ୍ଥାନ । ଗୋଟିଏ ପାର୍କିଂ ସ୍ଥାନ ନଥିବାରୁ କ୍ରେତା, ବିକ୍ରେତା ଏଣେ ତେଣେ ତାଙ୍କର ସାଇକେଲ୍, ମଟରସାଇକେଲ୍ ରଖିବାକୁ ବାଧ୍ୟ ହେଉଥିବାରୁ ବେଳେବେଳେ ତାହା ଚୋରୀ ହେଉଥିବା ସହ ଚୋରୀ ଯିବାର ସମ୍ଭାବନା ମଧ୍ୟ ରହୁଛି । ଏତଦତୀତ ବରିଷ୍ଠନାଗରିକ ମାନଙ୍କ ବସିବା ପାଇଁ ବିଶ୍ରାମ ସ୍ଥଳୀ, ଝାଡ଼ା ପରିସ୍ରା ପାଇଁ ଶୌଚାଳୟ ଆଦି ପର୍ଯ୍ୟାପ୍ତ ନଥିବାରୁ ବହୁ ସମୟରେ ହାଟକୁ ଆସୁଥିବା ଦୂରଦୁରାନ୍ତର ଲୋକଙ୍କ ପାଇଁ ଏହା ଯନ୍ତ୍ରଣା ଦୟକ ହେଉଥିବା ଜଣାଯାଇଛି । ଗତ କିଛିଦିନ ତଳେ ହାଟ ଅଞ୍ଚଳ ମଧ୍ୟରେ ଗୋଟିଏ ଶୌଚାଳୟ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲେ ହେଁ ତାହା ଅଦ୍ୟାବଧି ଠିକ ରୂପେ କାର୍ଯ୍ୟକରିନାହିଁ । ତେଣୁ ଦଶପଲ୍ଲାର ଏହି ସର୍ବପୂରାତନ ହାଟ କ୍ରମଶଃ ତାର ଗରିମା ହରାଉଥିବା ସହ ଜିଲ୍ଲା ତଥା ରାଜ୍ୟ ବାହାରୁ ଆସୁଥିବା ବ୍ୟବସାୟୀମାନେ ଏଠାରୁ ମୁଖ ଫେରାଇବା ଆରମ୍ଭ କଲେଣି । ସର୍ବନିମ୍ନ ସୁବିଧା ସୁଯୋଗ ହିସାବରେ ପାର୍କିଂଷ୍ଟାଣ୍ଡ, ପିଣ୍ଡି, ପାନୀୟ ଜଳ ଉତ୍ସ, ଆଲୋକୀକରଣ, ଶୌଚାଳୟ, ପ୍ରବେଶ-ପ୍ରସ୍ଥାନ ପଥ, ସୁରକ୍ଷା ବ୍ୟବସ୍ଥା ସହ ଜୀବଜନ୍ତୁଙ୍କ ପାଇଁ ପାଣିକୁଣ୍ଡ, ବିଶ୍ରାମ ସ୍ଥଳ ଆଦି କରାଗଲେ ଏହି ହାଟର ଉନ୍ନତି ସାଧନ ହୋଇ ପାରିବ । ନଗର ଉନ୍ନୟନ ବିଭାଗ ଯଦି ଏ ଦିଗରେ ଧ୍ୟାନ ନଦିଅନ୍ତି ତେବେ ଏହି ହାଟ ସଂସ୍କୃତି ଲୋପ ପାଇଯିବ ଏଥିରେ ସନ୍ଦେହ ନାହିଁ । ସର୍ବୋପରି ହାଟ ପରିସରର ଜବରଦଖଲ ହଟାଇବା ଏନଏସି କର୍ତ୍ତୃପକ୍ଷଙ୍କ ପାଇଁ ଏକ ଚାଲେଞ୍ଜ ସୃଷ୍ଟି କରିବ । ଏ ସମ୍ପର୍କରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ଦଳବେହେରାଙ୍କ ପ୍ରତିକ୍ରିୟା ନେବାରେ ସେ କହିଲେ ଯେ, ଆଗାମୀ ଆର୍ଥିକ ବଜେଟ୍ରେ ଏଥିପାଇଁ ଅର୍ଥବରାଦ କରାଯିବା ସହ ଧୀରେ ଧୀରେ ସମସ୍ତ ସମସ୍ୟାର ସମାଧାନ କରାଯିବାକୁ ପ୍ରଚେଷ୍ଟା ଜାରି ରହିଛି ।





