ମାଳିସାହି ଓ ଢେଙ୍କେଣା, ଯେଉଁ ଗାଁ ଦି’ଟା କଥା କୁହାଗଲେ ମନ ଭିତରକୁ ଆପେ ଆପେ ଚାଲି ଆସେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଛବି । ନୟାଗଡ଼ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ନୂଆଗାଁ ବ୍ଲକର ଏହି ଦୁଇ ଗାଁ ଓଡ଼ିଶାର ସଂସ୍କୃତି ସାହିତ୍ୟ ଇତିହାସର ପ୍ରଧାନ ପୀଠ ଭାବେ ପୃଷ୍ଠା ମଣ୍ଡନ କରି ଆସିଛି । ଭଞ୍ଜଙ୍କ ସ୍ମୃତି ସବୁ ଲିଭିବାକୁ ବସିଥିବା ବେଳ କିଛି ପଥର ଖୋଦେଇ ଲେଖା ଗତିଶ୍ୱର ମନ୍ଦିର ପ୍ରାଙ୍ଗଣରେ ପଡ଼ିଛି । ନୟାଗଡ଼ ଜିଲ୍ଲାର ସଦର ମହକୁମାଠାରୁ ଖଣ୍ଡପଡ଼ା ରାସ୍ତାର ବାଲୁଗାଁ ଠାରୁ ପଶ୍ଚିମକୁ ମହିପୁର ରାସ୍ତାଦେଇ ୫ କି.ମି. ଗଲେ ପଡ଼େ ଏହି ଦୁଇ ଗାଁ । ଏହିଠାରେ ଘୁମୁସର ରାଜ୍ୟର ରାଜପୁତ୍ର କୁମାର ଉପେନ୍ଦ୍ର ସାଧନା କରିବା ସହ ରାମତାରକା ମନ୍ତ୍ର ଜପ କରି ପାଣ୍ଡିତ୍ୟ ଅର୍ଜନ କରିଥିବା ବିଭିନ୍ନ ପାଠ୍ୟ ପୁସ୍ତକରୁ ଜଣାପଡ଼େ । ତଥାପି ବିଭିନ୍ନ ଜନଶ୍ରୁତି ଓ କେତେକ ଉପକଥାକୁ ନେଇ ମାଳିସାହି ଓ ଢେଙ୍କେଣା ଏବଂ ଉପେନ୍ଦ୍ରଭଞ୍ଜ ସାଧନାର ପୀଠ ଉପରେ ବହୁ ତଥ୍ୟ ଜଣାପଡ଼େ । ଢେଙ୍କେଣାରେ ଏକ ନିର୍ବାଣୀ ସମ୍ପ୍ରଦାୟର ମଠ ରହିଛି ଏବଂ ଶ୍ରୀରଘୁନାଥଙ୍କ ମନ୍ଦିର ବିଦ୍ୟମାନ ଯାହାକି ଉପେନ୍ଦ୍ର ଭଞ୍ଜଙ୍କର ସାଧନାର ପୀଠ ରୂପେ ପରିଚିତ । ଉପେନ୍ଦ୍ର ଭଞ୍ଜ ରାଜପୁତ୍ର ହୋଇଥିଲେ ମଧ୍ୟ ରାଜ ସିଂହାସନ ପ୍ରତି ବିମୁଖତା ଥିବା ଜଣାଯାଏ । ସେ ସିଂହାସନ ଆରୋହଣ କରିପାରିନଥିଲେ କି ରାଜା ହେବାର ସୌଭାଗ୍ୟ ତାଙ୍କ ଭାଗ୍ୟରେ ଆସିନଥିଲା । ଉପେନ୍ଦ୍ରଙ୍କ ପିତାମହ ଘୁମୁସରର ରାଜା ପ୍ରତାପ ଧନଞ୍ଜୟ ଭଞ୍ଜ ନୟାଗଡ଼ ରାଜବଂଶର ଜାମାତା । ଧନଞ୍ଜୟ ଭଞ୍ଜଙ୍କ ମୃତ୍ୟୁ ପରେ ଉପେନ୍ଦ୍ରଙ୍କ ପିତା ନୀଳକଣ୍ଠ ଭଞ୍ଜ ୧୭୦୧ରୁ ୧୭୦୩ ମସିହା ୨ବର୍ଷ ରାଜ୍ୟ ଶାସନ କଲାପରେ ଭାତୃ ବିବାଦ ଯୋଗୁଁ ରାଜଗାଦି ହରାଇଲେ ଏବଂ ରାଜ୍ୟରୁ ବିତାଡ଼ିତ ହୋଇ ବାଳୁତ ପୁତ୍ର ଉପେନ୍ଦ୍ର ଓ ପତ୍ନୀକୁ ଧରି ପ୍ରଥମେ ଧରାକୋଟ ତା’ପରେ ଆଠଗଡ଼ ଏବଂ ପରେ ମାଳିସାହି ଓ ଢେଙ୍କେଣାରେ ଆସି ଆତ୍ମଗୋପନ କରିଥିଲେ । ମାଳିସାହିରେ କିଛିଦିନ ରହିବାପରେ କାଳେ କିଏ ଜାଣିଯିବ ଏହି ଭୟରେ ମାଳିସାହି ଠାରୁ କିଛି ଦୂର ଢେଙ୍କେଣାରେ ଅବସ୍ଥିତ ଶ୍ରୀରଘୁନାଥ ମନ୍ଦିର ସମ୍ମୁଖରେ ଏକ କୁଟୀରରେ ଗୋପନ ଭାବେ ରହିଥିଲେ । ଉପେନ୍ଦ୍ରଙ୍କ ମାମୁଁଘର ନୟାଗଡ଼ ଥିବାରୁ ସେ ନୟାଗଡ଼ରେ ମଧ୍ୟ ରହୁôଥିଲେ ଓ ମଝିରେ ମଝିରେ ପିତାମାତାଙ୍କୁ ଦେଖିବା ପାଇଁ ଅଶ୍ୱରୋହଣ କରି ନୟାଗଡ଼ରୁ ବାରବାଟି, ବାଲୁଗାଁ, କ୍ରିଦାଶପୁର, ଜେମାଦେଇପୁର ଓ କଞ୍ଚନବିଲି ଦେଇ ମାଳିସାହି ଓ ଢେଙ୍କେଣାକୁ ଆସୁଥିଲେ । ଯାହା ଜଣାପଡ଼େ ପ୍ରଜା ବିଦ୍ରୋହର ମୁକାବିଲା କରିନପାରି ନୀଳକଣ୍ଠ ଭଞ୍ଜ ନୟାଗଡ଼ର ରାଜଜେମା ମାତା ମଣ୍ଡାଦେବୀ, ପୁତ୍ର ଉପେନ୍ଦ୍ର ସହ ସପରିବାର ଘୁମୁସର ପରିତ୍ୟାଗ କରି ମାତୁଳ ନୟାଗଡ଼ ରାଜା ପୁରୁଷୋତ୍ତମ ସିଂହ ମାନଧାତାଙ୍କ ସାହାଯ୍ୟରେ ମାଳିସାହିରେ ଅବସ୍ଥାନ କରିଥିଲେ । କୁହାଯାଏ ଉପେନ୍ଦ୍ରଙ୍କ ପିତାମହ ନୟାଗଡ଼ ରାଜବଂଶରେ ବିବାହ କରିଥିବାରୁ ଯୌତୁକ ସ୍ୱରୂପ ଗୋକୁଳେଶ୍ୱର ସିଂହ ମାନଧାତା ଧନଞ୍ଜୟ ଭଞ୍ଜଙ୍କୁ ମାଳିସାହି ଖମାର ପ୍ରଦାନ କରିଥିଲେ । ମାଳିସାହିର ଗତୀଶ୍ୱରପୀଠ ନିକଟରେ ଏକ ପୋଖରି ଅଛି । ମହାଦେବଙ୍କ ବେଢ଼ା ମଧ୍ୟରେ ଏକ ବେଦୀ ଉପରେ କ୍ଷୁଦ୍ର ପ୍ରସ୍ତର ସ୍ତମ୍ଭଟିଏ ବିଦ୍ୟମାନ । ସେହି ସ୍ତମ୍ଭରେ ଏକ କ୍ଷୁଦ୍ର ଲିପି ଖୋଦିତ ହୋଇଥିବାର ଦେଖାଯାଏ । ଲିପିଟି ହେଲା- ‘ରଣଭଞ୍ଜ ଦେବ ପାନିଘାଟ’ । ଲିପିତତ୍ୱ ଦୃଷ୍ଟିରୁ ଏହାର ସମୟକାଳ ହେଲା ଦଶମ ଶତାବ୍ଦୀ । ଯେତେଦୂର ମନେହୁଏ ଲିପିଯୁକ୍ତ ସ୍ତମ୍ଭଟିକୁ କେହି ପୁଷ୍କରିଣୀ ନିକଟରୁ ସଂଗ୍ରହ କରି ମନ୍ଦିର ପ୍ରାଙ୍ଗଣରେ ସଂରକ୍ଷିତ କରି ରଖିଛନ୍ତ । ଢ଼େଙ୍କଣାର ରଘୁନାଥଙ୍କ ଠାରୁ ଆର୍ଶୀବାଦ ଲାଭ କରିବା ପରେ ଉପେନ୍ଦ୍ର ଭଞ୍ଜ ପ୍ରଥମ କାବ୍ୟ ଲାବଣ୍ୟବତୀ ରଚନା କଲେ । ମାଳିସାହିରେ ରହଣି ଭିତରେ ଖମାର କୋଠିରେ ଉପେନ୍ଦ୍ର ରହୁଥିଲେ । କେତେକ କୁହନ୍ତି ଉପେନ୍ଦ୍ର ଭଞ୍ଜ ରାଜଜେମାକୁ ବିବାହ କରି ଯୌତୁକ ସ୍ୱରୂପ ଏହି ମାଳିସାହିକୁ ପାଇଥିଲେ । ମାଳିସାହି ଗ୍ରାମରେ ଅବସ୍ଥାନ କରୁଥିବା ସମୟରେ ରଘୁନାଥ ନାମକ ସିଦ୍ଧ ସନ୍ନ୍ୟାସୀ ଉପେନ୍ଦ୍ରଙ୍କୁ ରାମତାରକା ମନ୍ତ୍ର ଜପ କରି ସିଦ୍ଧ କରିବାକୁ କହିଥିଲେ । ତାହା ଅନୁସାରେ ସେ ସିଦ୍ଧ ଗୁମ୍ଫାରେ ରାମତାରକା ମନ୍ତ୍ର ଜପକରି ସିଦ୍ଧ ହୋଇଥିଲେ । ଉପେନ୍ଦ୍ର ତାଙ୍କ ମାଳିସାହି ରହଣିକାଳରେ ଗତୀଶ୍ୱର ମହାଦେବ ଓ ଢେଙ୍କେଣାର ଶ୍ରୀରଘୁନାଥଙ୍କୁ ସେବାପୂଜା କରିବାର ସୌଭାଗ୍ୟ ଲାଭ କରିବା ସହିତ ରାମତାରକା ମନ୍ତ୍ର ବଳରେ କବିତ୍ୱ ଲାଭ କରିଥିବାର ସତ୍ୟତା ପରିଲକ୍ଷିତ ହୁଏ । ମାଳିସାହି ଓ ଢେଙ୍କେଣା ହେଲା ଉପେନ୍ଦ୍ରଙ୍କର ସାରସ୍ୱତ ସାଧନାର ପୀଠ, ଯେଉଁଠାରେ ପରମ ପ୍ରେମିକ ସଦ୍ୟ ବିପତ୍ନୀକ ବିରହ ବିଦଗ୍ଧ ଭଞ୍ଜ କବିଙ୍କର ଉଚ୍ଚାଙ୍ଗ କବିତାର ଉତ୍ପତି ହେଲା । ଶୃଙ୍ଗାର ରସାୟିତ ଉଭୟ କାବ୍ୟ କବିତାରେ ସମସ୍ତ ଉତ୍କଳୀୟ ଭାବଧାରାରେ ପ୍ଳାବିତ ହେଲା । ତେବେ ଦୁଃଖ ଓ ପରିତାପର କଥା ଉପେନ୍ଦ୍ର ଭଞ୍ଜଙ୍କର ସାଧନାର ପୀଠ ଭାବରେ ଏହି ଦୁଇ ଗ୍ରାମ ମାଳିସାହି ଓ ଢ଼େଙ୍କେଣା ବେଶ୍ ଦର୍ଶନୀୟ କ୍ଷେତ୍ର ଭାବରେ ପରିଗଣିତ ହେବାର ସୌଭାଗ୍ୟ ପାଇଥିଲେ ମଧ୍ୟ ଲୋକଲୋଚନର ଆଢ଼ୁଆଳରେ ରହିଯାଉଛି । ଏହାର ପ୍ରସିଦ୍ଧି ପାଇଁ କୌଣସି ଉଦ୍ୟମ ହୋଇପାରୁନାହିଁ ।






