Tuesday, July 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍ମୃତି ଲିଭିବାକୁ ବସିଲାଣି

by ସଞ୍ଜୟ ସ୍ୱାଇଁ
August 19, 2020
in Feature News, Nayagarh
ସ୍ମୃତି ଲିଭିବାକୁ ବସିଲାଣି
1.4k
VIEWS
Share on FacebookShare on Twitter

ମାଳିସାହି ଓ ଢେଙ୍କେଣା, ଯେଉଁ ଗାଁ ଦି’ଟା କଥା କୁହାଗଲେ ମନ ଭିତରକୁ ଆପେ ଆପେ ଚାଲି ଆସେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଛବି । ନୟାଗଡ଼ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ନୂଆଗାଁ ବ୍ଲକର ଏହି ଦୁଇ ଗାଁ ଓଡ଼ିଶାର ସଂସ୍କୃତି ସାହିତ୍ୟ ଇତିହାସର ପ୍ରଧାନ ପୀଠ ଭାବେ ପୃଷ୍ଠା ମଣ୍ଡନ କରି ଆସିଛି । ଭଞ୍ଜଙ୍କ ସ୍ମୃତି ସବୁ ଲିଭିବାକୁ ବସିଥିବା ବେଳ କିଛି ପଥର ଖୋଦେଇ ଲେଖା ଗତିଶ୍ୱର ମନ୍ଦିର ପ୍ରାଙ୍ଗଣରେ ପଡ଼ିଛି । ନୟାଗଡ଼ ଜିଲ୍ଲାର ସଦର ମହକୁମାଠାରୁ ଖଣ୍ଡପଡ଼ା ରାସ୍ତାର ବାଲୁଗାଁ ଠାରୁ ପଶ୍ଚିମକୁ ମହିପୁର ରାସ୍ତାଦେଇ ୫ କି.ମି. ଗଲେ ପଡ଼େ ଏହି ଦୁଇ ଗାଁ । ଏହିଠାରେ ଘୁମୁସର ରାଜ୍ୟର ରାଜପୁତ୍ର କୁମାର ଉପେନ୍ଦ୍ର ସାଧନା କରିବା ସହ ରାମତାରକା ମନ୍ତ୍ର ଜପ କରି ପାଣ୍ଡିତ୍ୟ ଅର୍ଜନ କରିଥିବା ବିଭିନ୍ନ ପାଠ୍ୟ ପୁସ୍ତକରୁ ଜଣାପଡ଼େ । ତଥାପି ବିଭିନ୍ନ ଜନଶ୍ରୁତି ଓ କେତେକ ଉପକଥାକୁ ନେଇ ମାଳିସାହି ଓ ଢେଙ୍କେଣା ଏବଂ ଉପେନ୍ଦ୍ରଭଞ୍ଜ ସାଧନାର ପୀଠ ଉପରେ ବହୁ ତଥ୍ୟ ଜଣାପଡ଼େ । ଢେଙ୍କେଣାରେ ଏକ ନିର୍ବାଣୀ ସମ୍ପ୍ରଦାୟର ମଠ ରହିଛି ଏବଂ ଶ୍ରୀରଘୁନାଥଙ୍କ ମନ୍ଦିର ବିଦ୍ୟମାନ ଯାହାକି ଉପେନ୍ଦ୍ର ଭଞ୍ଜଙ୍କର ସାଧନାର ପୀଠ ରୂପେ ପରିଚିତ । ଉପେନ୍ଦ୍ର ଭଞ୍ଜ ରାଜପୁତ୍ର ହୋଇଥିଲେ ମଧ୍ୟ ରାଜ ସିଂହାସନ ପ୍ରତି ବିମୁଖତା ଥିବା ଜଣାଯାଏ । ସେ ସିଂହାସନ ଆରୋହଣ କରିପାରିନଥିଲେ କି ରାଜା ହେବାର ସୌଭାଗ୍ୟ ତାଙ୍କ ଭାଗ୍ୟରେ ଆସିନଥିଲା । ଉପେନ୍ଦ୍ରଙ୍କ ପିତାମହ ଘୁମୁସରର ରାଜା ପ୍ରତାପ ଧନଞ୍ଜୟ ଭଞ୍ଜ ନୟାଗଡ଼ ରାଜବଂଶର ଜାମାତା । ଧନଞ୍ଜୟ ଭଞ୍ଜଙ୍କ ମୃତ୍ୟୁ ପରେ ଉପେନ୍ଦ୍ରଙ୍କ ପିତା ନୀଳକଣ୍ଠ ଭଞ୍ଜ ୧୭୦୧ରୁ ୧୭୦୩ ମସିହା ୨ବର୍ଷ ରାଜ୍ୟ ଶାସନ କଲାପରେ ଭାତୃ ବିବାଦ ଯୋଗୁଁ ରାଜଗାଦି ହରାଇଲେ ଏବଂ ରାଜ୍ୟରୁ ବିତାଡ଼ିତ ହୋଇ ବାଳୁତ ପୁତ୍ର ଉପେନ୍ଦ୍ର ଓ ପତ୍ନୀକୁ ଧରି ପ୍ରଥମେ ଧରାକୋଟ ତା’ପରେ ଆଠଗଡ଼ ଏବଂ ପରେ ମାଳିସାହି ଓ ଢେଙ୍କେଣାରେ ଆସି ଆତ୍ମଗୋପନ କରିଥିଲେ । ମାଳିସାହିରେ କିଛିଦିନ ରହିବାପରେ କାଳେ କିଏ ଜାଣିଯିବ ଏହି ଭୟରେ ମାଳିସାହି ଠାରୁ କିଛି ଦୂର ଢେଙ୍କେଣାରେ ଅବସ୍ଥିତ ଶ୍ରୀରଘୁନାଥ ମନ୍ଦିର ସମ୍ମୁଖରେ ଏକ କୁଟୀରରେ ଗୋପନ ଭାବେ ରହିଥିଲେ । ଉପେନ୍ଦ୍ରଙ୍କ ମାମୁଁଘର ନୟାଗଡ଼ ଥିବାରୁ ସେ ନୟାଗଡ଼ରେ ମଧ୍ୟ ରହୁôଥିଲେ ଓ ମଝିରେ ମଝିରେ ପିତାମାତାଙ୍କୁ ଦେଖିବା ପାଇଁ ଅଶ୍ୱରୋହଣ କରି ନୟାଗଡ଼ରୁ ବାରବାଟି, ବାଲୁଗାଁ, କ୍ରିଦାଶପୁର, ଜେମାଦେଇପୁର ଓ କଞ୍ଚନବିଲି ଦେଇ ମାଳିସାହି ଓ ଢେଙ୍କେଣାକୁ ଆସୁଥିଲେ । ଯାହା ଜଣାପଡ଼େ ପ୍ରଜା ବିଦ୍ରୋହର ମୁକାବିଲା କରିନପାରି ନୀଳକଣ୍ଠ ଭଞ୍ଜ ନୟାଗଡ଼ର ରାଜଜେମା ମାତା ମଣ୍ଡାଦେବୀ, ପୁତ୍ର ଉପେନ୍ଦ୍ର ସହ ସପରିବାର ଘୁମୁସର ପରିତ୍ୟାଗ କରି ମାତୁଳ ନୟାଗଡ଼ ରାଜା ପୁରୁଷୋତ୍ତମ ସିଂହ ମାନଧାତାଙ୍କ ସାହାଯ୍ୟରେ ମାଳିସାହିରେ ଅବସ୍ଥାନ କରିଥିଲେ । କୁହାଯାଏ ଉପେନ୍ଦ୍ରଙ୍କ ପିତାମହ ନୟାଗଡ଼ ରାଜବଂଶରେ ବିବାହ କରିଥିବାରୁ ଯୌତୁକ ସ୍ୱରୂପ ଗୋକୁଳେଶ୍ୱର ସିଂହ ମାନଧାତା ଧନଞ୍ଜୟ ଭଞ୍ଜଙ୍କୁ ମାଳିସାହି ଖମାର ପ୍ରଦାନ କରିଥିଲେ । ମାଳିସାହିର ଗତୀଶ୍ୱରପୀଠ ନିକଟରେ ଏକ ପୋଖରି ଅଛି । ମହାଦେବଙ୍କ ବେଢ଼ା ମଧ୍ୟରେ ଏକ ବେଦୀ ଉପରେ କ୍ଷୁଦ୍ର ପ୍ରସ୍ତର ସ୍ତମ୍ଭଟିଏ ବିଦ୍ୟମାନ । ସେହି ସ୍ତମ୍ଭରେ ଏକ କ୍ଷୁଦ୍ର ଲିପି ଖୋଦିତ ହୋଇଥିବାର ଦେଖାଯାଏ । ଲିପିଟି ହେଲା- ‘ରଣଭଞ୍ଜ ଦେବ ପାନିଘାଟ’ । ଲିପିତତ୍ୱ ଦୃଷ୍ଟିରୁ ଏହାର ସମୟକାଳ ହେଲା ଦଶମ ଶତାବ୍ଦୀ । ଯେତେଦୂର ମନେହୁଏ ଲିପିଯୁକ୍ତ ସ୍ତମ୍ଭଟିକୁ କେହି ପୁଷ୍କରିଣୀ ନିକଟରୁ ସଂଗ୍ରହ କରି ମନ୍ଦିର ପ୍ରାଙ୍ଗଣରେ ସଂରକ୍ଷିତ କରି ରଖିଛନ୍ତ । ଢ଼େଙ୍କଣାର ରଘୁନାଥଙ୍କ ଠାରୁ ଆର୍ଶୀବାଦ ଲାଭ କରିବା ପରେ ଉପେନ୍ଦ୍ର ଭଞ୍ଜ ପ୍ରଥମ କାବ୍ୟ ଲାବଣ୍ୟବତୀ ରଚନା କଲେ । ମାଳିସାହିରେ ରହଣି ଭିତରେ ଖମାର କୋଠିରେ ଉପେନ୍ଦ୍ର ରହୁଥିଲେ । କେତେକ କୁହନ୍ତି ଉପେନ୍ଦ୍ର ଭଞ୍ଜ ରାଜଜେମାକୁ ବିବାହ କରି ଯୌତୁକ ସ୍ୱରୂପ ଏହି ମାଳିସାହିକୁ ପାଇଥିଲେ । ମାଳିସାହି ଗ୍ରାମରେ ଅବସ୍ଥାନ କରୁଥିବା ସମୟରେ ରଘୁନାଥ ନାମକ ସିଦ୍ଧ ସନ୍ନ୍ୟାସୀ ଉପେନ୍ଦ୍ରଙ୍କୁ ରାମତାରକା ମନ୍ତ୍ର ଜପ କରି ସିଦ୍ଧ କରିବାକୁ କହିଥିଲେ । ତାହା ଅନୁସାରେ ସେ ସିଦ୍ଧ ଗୁମ୍ଫାରେ ରାମତାରକା ମନ୍ତ୍ର ଜପକରି ସିଦ୍ଧ ହୋଇଥିଲେ । ଉପେନ୍ଦ୍ର ତାଙ୍କ ମାଳିସାହି ରହଣିକାଳରେ ଗତୀଶ୍ୱର ମହାଦେବ ଓ ଢେଙ୍କେଣାର ଶ୍ରୀରଘୁନାଥଙ୍କୁ ସେବାପୂଜା କରିବାର ସୌଭାଗ୍ୟ ଲାଭ କରିବା ସହିତ ରାମତାରକା ମନ୍ତ୍ର ବଳରେ କବିତ୍ୱ ଲାଭ କରିଥିବାର ସତ୍ୟତା ପରିଲକ୍ଷିତ ହୁଏ । ମାଳିସାହି ଓ ଢେଙ୍କେଣା ହେଲା ଉପେନ୍ଦ୍ରଙ୍କର ସାରସ୍ୱତ ସାଧନାର ପୀଠ, ଯେଉଁଠାରେ ପରମ ପ୍ରେମିକ ସଦ୍ୟ ବିପତ୍ନୀକ ବିରହ ବିଦଗ୍ଧ ଭଞ୍ଜ କବିଙ୍କର ଉଚ୍ଚାଙ୍ଗ କବିତାର ଉତ୍ପତି ହେଲା । ଶୃଙ୍ଗାର ରସାୟିତ ଉଭୟ କାବ୍ୟ କବିତାରେ ସମସ୍ତ ଉତ୍କଳୀୟ ଭାବଧାରାରେ ପ୍ଳାବିତ ହେଲା । ତେବେ ଦୁଃଖ ଓ ପରିତାପର କଥା ଉପେନ୍ଦ୍ର ଭଞ୍ଜଙ୍କର ସାଧନାର ପୀଠ ଭାବରେ ଏହି ଦୁଇ ଗ୍ରାମ ମାଳିସାହି ଓ ଢ଼େଙ୍କେଣା ବେଶ୍ ଦର୍ଶନୀୟ କ୍ଷେତ୍ର ଭାବରେ ପରିଗଣିତ ହେବାର ସୌଭାଗ୍ୟ ପାଇଥିଲେ ମଧ୍ୟ ଲୋକଲୋଚନର ଆଢ଼ୁଆଳରେ ରହିଯାଉଛି । ଏହାର ପ୍ରସିଦ୍ଧି ପାଇଁ କୌଣସି ଉଦ୍ୟମ ହୋଇପାରୁନାହିଁ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!